୮ ରେ ଖୋଲିବ ରତ୍ନଭଣ୍ଡାର ! ୨୦ ଦିନ ଧରି ଚାଲିବ ଅଳଙ୍କାର ଗଣତି ପ୍ରକ୍ରିୟା

ପୁରୀ : ଜୁଲାଇ ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । ସରକାରଙ୍କ ପକ୍ଷରୁ ଏନେଇ କୌଣସି ଅନୁଷ୍ଠାନିକ ଘୋଷଣା ହୋଇନଥିବା ବେଳେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ ସୂଚୀକୁ ନେଇ ଚର୍ଚ୍ଚା ଜୋର ଧରିଛି । କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶlୟତ ଆସନ୍ତା ୫ ତାରିଖରେ ପୁରୀ ଆସୁଛନ୍ତି । ଜଷ୍ଟିସ ଅରିଜିତ ପଶlୟତ ଆସନ୍ତା ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହି ରତ୍ନଭଣ୍ଡାର କାର୍ଯ୍ୟର ତଦାରଖ କରିବେ । ପରେ ୨୮ରେ ଦିଲ୍ଲୀ ଫେରିଯିବାର ଗସ୍ତ ସୂଚୀରେ ଉଲ୍ଲେଖ ରହିଛି ।

ସୂଚନା ଆଧାରରେ ରତ୍ନଭଣ୍ଡାର ଆସନ୍ତା ୮ ତାରିଖ ଅର୍ଥାତ ରଥଯାତ୍ରା ପରଦିନ ଖୋଳାଯାଇ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୨୦ ଦିନ ଧରି ଚାଲିବ । ରତ୍ନଭଣ୍ଡାର ଖୋଲିବା ପାଇଁ ଗତ ବିଜେଡି ସରକାର ଏହି ରତ୍ନଭଣ୍ଡାର ତଦାରଖ କମିଟି ଗତ ମାର୍ଚ୍ଚ ୧ ତାରିଖରେ ଗଠନ କରିଥିଲେ l ଏହି ୧୨ ଜଣିଆ କମିଟିର ଅଧ୍ୟକ୍ଷ ଅଛନ୍ତି ଅରିଜିତ ପଶାୟତ । ଡାକ୍ତର ରମାକାନ୍ତ ପଣ୍ଡା ଏହି କମିଟିର ଉପାଧ୍ୟକ୍ଷ ଅଛନ୍ତି । ପୁରୀ ଜିଲ୍ଲାପାଳ ଗଜପତିଙ୍କ ପ୍ରତିନିଧି, ୪ ଜଣ ସେବାୟତ ପ୍ରତିନିଧି କମିଟିର ପ୍ରତିନିଧି ଅଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ସମୀର ମହାନ୍ତିଙ୍କ ପକ୍ଷରୁ କରାଯାଇଥିବା ଏକ ଜନସ୍ୱାର୍ଥ ମାମଲାରେ ଏହି ଭଣ୍ଡାର ଖୋଲିବା ନେଇ ଏକ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା । ରଥାଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିବା ସମୟରେ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପୂର୍ବରୁ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ।