ଆସନ୍ତା କାଲି ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ

ପୁରୀ: ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ଧାର୍ଯ୍ୟ କରାଯାଇଛି । ଏହି ସମୟରେ ଭିତର ରତ୍ନଭଣ୍ଡାର ଖୋଲି ପ୍ରବେଶ କରିବ ଟିମ୍ । ଏହି ସମୟରେ ନୀତିକାନ୍ତିରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ତା’ ଉପରେ ଦୃଷ୍ଟି ଦିଆଯିବ। ପ୍ରାୟ ସକାଳ ୮ଟାରୁ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିରରେ ପ୍ରବେଶ କଟକଣା କରାଯିବ ।
ଏହାସହ ସେ କହିଛନ୍ତି, ଭିତର ଭଣ୍ଡାର ତାଲା ଖୋଲି ଭିତରକୁ ଯିବୁ। ସେଠାରେ ଥିବା ଜିନିଷ ପତ୍ର ଗୁଡ଼ିକୁ ଆଖିରେ ଦେଖିବୁ। ଏହାପରେ ଅଳଙ୍କାର ଗୁଡ଼ିକ ଯତ୍ନ ସହକାରେ ନୂତନ ଆଲମିରାକୁ ଓ ସିନ୍ଦୁକକୁ ସ୍ଥାନାନ୍ତରଣ କରିବୁ । ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ରତ୍ନ ଭଣ୍ଡାରରେ ଆଲମିରା ଓ ସିନ୍ଦୁକ ଗୁଡ଼ିକ ଚାରିପଟେ କାନ୍ଥକୁ ଲାଗି ରହିଛି । ଭିତର ରତ୍ନ ଭଣ୍ଡାରରେ କାନ୍ଥ ଦେଖାଯାଉ ନାହିଁ । ଆଲମିରା ଓ ସିନ୍ଦୁକରେ କ’ଣ ରହିଛି, ତା’ ତଳେ କ’ଣ ରହିଛି ଆମେ ଦେଖିନାହୁଁ।
ତାଲା, ଚାବି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା । ବାହାର ରତ୍ନଭଣ୍ଡାରର ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାର ଦେଖିଥିଲୁ । ସେଥିରେ ୩ଟି ତାଲା ପଡିଥିଲା । କିନ୍ତୁ ଟ୍ରେଜେରିରୁ ଆସିଥିବା ଚାବିରେ ତାହା ଖୋଲି ନ ଥିଲା । ଏହା ପରେ ଏସଓପି ଅନୁଯାୟୀ, ୩ଟି ତାଲା ଭଙ୍ଗା ଯାଇ କମିଟିର ସଦସ୍ୟ ଭିତରକୁ ପ୍ରବେଶ କରିଥିଲେ । ଭିତର ରତ୍ନଭଣ୍ଡାର କାନ୍ଥକୁ ଲାଗି ସିନ୍ଦୁକ, ଆଲମାରୀ ରହିଥିଲା । ସମୟ ଅଭାବରୁ ସେଦିନ ଆମେ ସିନ୍ଦୂକ, ଆଲମାରୀ ଖୋଲି ନ ଥିଲୁ ।
ଅରବିନ୍ଦ ପାଢୀ କହିଛନ୍ତି ଆଉ ଦିନେ ଖୋଲିବାକୁ ନିଷ୍ପତ୍ତି ନେଇ ସେ ଦିନ ନୂଆ ତାଲା ପକାଇ ସିଲ୍ କରିଥିଲୁ । ୩ଟି ତାଲା ଭଙ୍ଗା ଯାଇଥିଲେ ହେଁ, ୨ଟି ନୂଆ ତାଲା ପକାଇବା ସମ୍ଭବ ହେଲା । ୨ଟି ନୂଆ ତାଲାର ଚାବି ଓ ଭଙ୍ଗା ଯାଇଥିବା ତାଲା ଟ୍ରେଜେରୀ ଜିମା ଦିଆଯାଇଛି । ଗୁରୁବାର ଦିନ ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଖୋଲାଯିବ । ତେଣୁ ସୁନାବେଶ ସରିବା ପରେ ପୁଣି ଥରେ ରତ୍ନ ଭଣ୍ଡାର ଖୋଲିବ ବୋଲି ଆଜି ସ୍ପଷ୍ଟ କରିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟି।