୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ, ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର

ପୁରୀ : ୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ । ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଶୁଭ ମୁହୂର୍ତ୍ତ ଦିନ ଗୋଟାଏ ୨୮ ମିନିଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି । ନୀତିକାନ୍ତି ଅନୁସାରେ ଚାଲିଛି ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ସମୟ ଅନୁସାରେ ବାହାର ରତ୍ନଭଣ୍ଡାରରେ ପ୍ରବେଶ କଲେ ଟିମ୍ । ଏମାନଙ୍କ ମଧ୍ୟରେ ଅଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, କମିଟି ସଦସ୍ୟ ସି.ବି.କେ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ଦୁର୍ଗାଦାସ ମହାପାତ୍ର, ତଢଉ କରଣ, ଦେଉଳ କରଣ, ଗଜପତିଙ୍କ ପ୍ରତିନିଧି, ଛତିଶାନିଯୋଗ ମହାନାୟକ,ଭଣ୍ଡାର ମେକାପ ପ୍ରମୁଖ ।
ସେହିପରି ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଛି । ୬ଟି ସିନ୍ଦୁକ ଟ୍ରକରେ ଲଦି ଭୁବନେଶ୍ୱରର ଜନୈକ ବ୍ୟକ୍ତି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ତେବେ ପ୍ରାଥମିକ ସୂଚନା ମୁତାବକ, ଶାଗୁଆନ୍ କାଠରେ ଏହି ସିନ୍ଦୁକକୁ ପ୍ରସ୍ତୁତ କରାଯାଇଛି । ତାସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି । ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି । ସିନ୍ଦୁକର ଲମ୍ୱ ରହିଛି ସାଢେ ୪ଫୁଟ, ଗଭୀର ୨ଫୁଟ ଓ ଚଉଡାର ମଧ୍ୟ ୨ଫୁଟ ରହିଛି ।
ଅନ୍ୟପଟେ ଆଜି ରତ୍ନଭଣ୍ଡାରଖୋଲାଯିବ କିନ୍ତୁ ଗଣତି ହେବନି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ । ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ଟ୍ରାନ୍ସଫର ହେବା ପରେ, ଭିତର ରତ୍ନଭଣ୍ଡାରର ମରାମତି ହେବ । ଏଥିପାଇଁ ଲାଇଟ୍ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ତେବେ ଏ ସବୁ କାମ କେତେ ଦିନରେ ସରିବ, ସେନେଇ ସ୍ପଷ୍ଟ ଭାବେ କହିହେବନି ବୋଲି ସେ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।