ଆଜି ଶୁଭ ମୁହୂର୍ତ୍ତ ଦେଖି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ୧୦ଟାରେ ବସିବ ତଦାରଖ କମିଟି ବୈଠକ

ପୁରୀ : ୪୬ ବର୍ଷର ବ୍ୟବଧାନ ପରେ ଆଜି ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏଥିପାଇଁ ଚୂଡ଼ାନ୍ତ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଶୁଭ ସମୟ ଦେଖି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଦିନ ୧୦ଟାରେ ବସିବ ତଦାରଖ କମିଟି ବୈଠକ । ପ୍ରଭୁ ଲୋକନାଥ ଓ ବିମଳାଙ୍କ ନିକଟରେ ଗୁଆ ଟେକା ଯାଇ ରତ୍ନ ଭଣ୍ଡାର ଖୋଲାଯିବ । ଦିନ ୧ଟାରୁ ସାଢ଼େ ୧ଟା ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି ।

ଚାବିରେ ଖୋଲିବାକୁ ଉଦ୍ୟମ କରାଯିବ ଯଦି ନଖୋଲେ ତାହାହେଲେ ତାଲା ଭାଙ୍ଗି ରତ୍ନ ଭଣ୍ଡାର ଅଳଙ୍କାର ଆକଳନ କରାଯିବ । ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ଏକ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ଏସଓପିର ଅନୁପାଳନ କରାଯିବ । ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଖୋଲିବା ନେଇ ସମସ୍ତ ପ୍ରକ୍ରିୟାର ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏସଓପିକୁ ଅନୁପାଳନ କରାଯିବା ସହ ଶୁଭ ମୁହୂର୍ତ୍ତ ଦେଖି ରତ୍ନଭଣ୍ଡାର ଖୋଲାଯିବ ।

ସେହିପରି ଭିତର ରତ୍ନ ଭଣ୍ଡାରର ରତ୍ନ ସବୁକୁ କିଭଳି ସ୍ୱଚ୍ଛତାର ସହ ଗଣତି ମଣତି ହେବ ସେଥିପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ନିଆଯାଇଛି । ପ୍ରତିଟି ଅଳଙ୍କାର ମାନ ନିର୍ଦ୍ଧାରଣ କରାଯିବା ସହ ସଂଖ୍ୟା ଏବଂ ଓଜନ କରାଯିବ । ଏହାକୁ ଡିଜିଟାଲ ଫର୍ମାଟରେ ଡକୁମେଣ୍ଟେସନ୍‌ କରାଯାଇ ଆଗାମୀ ସମୟ ପାଇଁ ରଖାଯିବ ବୋଲି ଆଇନ୍‌ ମନ୍ତ୍ରୀ କହିଛନ୍ତି ।

ତେବେ ଗଣତି ପାଇଁ ନିର୍ଦ୍ଦିଷ୍ଟ ଭାବେ କେତେ ସମୟ ଲାଗିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେଲେ ଜଣାପଡ଼ିବ ଏବଂ ଗଣମାଧ୍ୟମକୁ ସେହି ଅନୁସାରେ ସୂଚନା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ନିୟମାବଳି ଅନୁସାରେ କରାଯିବ ଏବଂ ସବୁ ଦାୟିତ୍ୱ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପରେ ନ୍ୟସ୍ତ କରାଯାଇଛି ବୋଲି ଆଇନ୍‌ ମନ୍ତ୍ରୀ ସୂଚନା ଦେଇଛନ୍ତି ।

You might also like