ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି !

srimandiraପୁରୀ : ଶ୍ରୀମନ୍ଦିରରେ ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲୁରୀ ତେଲ ଲାଗି ପରେ ପାରମ୍ପରିକ ଭାବେ ଓଷ ଲାଗି କରାଯାଉଛି। ଝୁଣା ଓ ରାଶିତେଲରେ ତିଆରି ଏକ ସ୍ୱତନ୍ତ୍ର ପ୍ରଲେପ ଶ୍ରୀବିଗ୍ରହରେ ଲାଗି କରାଯାଏ। ଏହାକୁ କୁହାଯାଏ ଓଷଲାଗି। ୩ ଦିନ ଧରି ଏହି ଓଷଲାଗି ଚାଲିବ। ଆସନ୍ତା ଦଶମୀ ତିଥିରେ ଦଶମୂଳ ମୋଦକ ପ୍ରସ୍ତୁତ କରିବେ ରାଜବୈଦ୍ୟ। ଏହି ମୋଦକ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଥାଆନ୍ତି। ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଥିଲେ। ଏହାପରେ ଅଣସରରେ ମହାପ୍ରଭୁ ଥିବା ବେଳେ ତାଙ୍କର ଗୁପ୍ତ ସେବା ଚାଲିଛି। ଫୁଲୁରୀ ତେଲ ଲାଗି ପରେ ଜ୍ୱର ଧୀରେ ଧୀରେ କମୁଛି ।

ବିଶ୍ୱପ୍ରିସିଦ୍ଧ ରଥଯାତ୍ରା ପାଖେଇ ଆସୁଛି। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଦଉଡି ପୁରୀରେ ପହଞ୍ଚିସାରିଛି। ବୀରପ୍ରତାପପୁରରେ ଥିବା ରାଜ୍ୟ କତା ନିଗମ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ସବୁ ଦଉଡି। ସମୁଦାୟ ୧୪ଟି ରଥ ଦଉଡି ଓ ୯ଟି ଘେର ଦଉଡି ନିର୍ମାଣ କରାଯାଇଛି। ସେଥିରୁ ୧୪ଟି ଯାକ ରଥ ଦଉଡି ଓ ୨ଟି ଘେର ଦଉଡି ଆସିସାରିଛି। ଅବଶିଷ୍ଟ ଘେର ଦଉଡି ଦୁଇ ତିନି ଦିନ ମଧ୍ୟରେ ପହଞ୍ଚିବ। ରଥ ଦଉଡି କାରିଗରମାନେ ପୂର୍ବରୁ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ଦଉଡ଼ି ପ୍ରସ୍ତୁତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପ୍ରଫୁଲ୍ଲ ସାମଲଙ୍କ ହସ୍ତକ୍ଷେପ ପରେ କର୍ମଚାରୀମାନେ କାର୍ୟ୍ୟବନ୍ଦ ଆନ୍ଦୋଳନରୁ ଓହରି ଅବଶିଷ୍ଟ ଦଉଡି ନିର୍ମାଣ କାର୍ୟ୍ୟ ଶେଷ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.