୪ ମାସ ପରେ ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି, କଡ଼ା ସୁରକ୍ଷା ବଳୟରେ ଚାଲିଛି ଗଣତି

ରାୟଗଡ଼ା : ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୪ମାସ ପରେ ଆଜି ଖୋଲା ହୋଇଛି । ଚାଲିଛି ଗଣତି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି । ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ସଦସ୍ୟ ମାନେ ନିୟୋଜିତ ଅଛନ୍ତି । ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପ୍ରକ୍ରିୟାରେ ନିୟଜିତ ହୋଇଛନ୍ତି।
ଗତ ୪ ମାସ ତଳେ ଅର୍ଥିତ୍ ମାର୍ଚ୍ଚ ୧୮ ତାରିଖ ଦିନ ଦାନ ହୁଣ୍ଡିରୁ ୮୯ ଲକ୍ଷ ୭୨ ହଜାର ୨୨୫ଟଙ୍କା, ସୁନା ୬୨ ଗ୍ରାମ ଓ ରୁପା ୨ କେଜି ୩୦୦ ଗ୍ରାମ ସଂଗ୍ରହ ହୋଇଥିବା ବେଳେ ୬୨ ଟି ବିଦେଶ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା । ତେବେ ଚଳିତ ଥର ୮୦ ରୁ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିବ ବୋଲି ଆଶା କରିଛି ମନ୍ଦିର କମିଟି । ଆଜି ହୁଣ୍ଡିରୁ ବାହାରିଥିବା ଅର୍ଥକୁ ରାୟଗଡା ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଦିପୋଜିଟ କରାଯିବ ।