ଆରବିଆଇର ଅର୍ଥନୀତି ରିପୋର୍ଟରେ ଫିସକାଲ୍ ରିସ୍କ ମ୍ୟାନେଜମେଣ୍ଟ ବା ବିତ୍ତୀୟ ବିପଦ ଆଶଙ୍କା ପରିଚାଳନାକୁ ମିଳିଛି ସ୍ୱୀକୃତି
କେନ୍ୟୁଜ୍(ବ୍ୟୁରୋ): ଆରବିଆଇର ଅର୍ଥନୀତି ରିପୋର୍ଟରେ ଓଡ଼ିଶାର ପ୍ରଶଂସା। ଫିସକାଲ୍ ରିସ୍କ ମ୍ୟାନେଜମେଣ୍ଟ ବା ବିତ୍ତୀୟ ବିପଦ ଆଶଙ୍କା ପରିଚାଳନାକୁ ମିଳିଛି ସ୍ୱୀକୃତି । ଗତକାଲି ଆରବିଆଇ ପକ୍ଷରୁ ସମସ୍ତ ରାଜ୍ୟର ଅର୍ଥନୀତି ଉପରେ ପ୍ରକାଶ ପାଇଛି ଏକ ରିପୋର୍ଟ । କୁହାଯାଇଛି, ଆର୍ଥିକ ସଂସ୍କାର ପାଇଁ ଆଇଏମ୍ଏଫର ବୈଷୟିକ ସହାୟତାରେ ଓଡ଼ିଶା ବିତ୍ତୀୟ ବିପଦ ଆଶଙ୍କା ପରିଚାଳନାକୁ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ଅର୍ଥ ବିଭାଗରେ ରହିଛି ବିତ୍ତୀୟ ବିପଦ ଆଶଙ୍କା ଏବଂ ଋଣ ପରିଚାଳନା ସେଲ୍। ଏହାସହ ରହିଛି ସ୍ୱତନ୍ତ୍ର ଉଚ୍ଚ ସ୍ତରୀୟ ବିତ୍ତୀୟ ବିପଦ ଆଶଙ୍କା କମିଟି। ଓଡ଼ିଶାର ବିତ୍ତୀୟ ବିପଦ ଆଶଙ୍କା ପରିଚାଳନା ପାଇଁ ଥିବା ତ୍ରିସ୍ତରୀୟ ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଛି ଆରବିଆଇ। ପ୍ରଥମେ ବିପଦ ଆଶଙ୍କାକୁ ଚିହ୍ନଟ କରିବା, ଦ୍ୱିତୀୟରେ ତୁରନ୍ତ ସୂଚନା ଦେବା ଏବଂ ତୃତୀୟରେ ବିପଦ ଆଶଙ୍କାର ପ୍ରଶମନ ଓ ପରିଚାଳନା। ଏହି ତିନିଟି ପଦକ୍ଷେପ ସହ ହେଲ୍ଥ ଚେକ୍ ଟୁଲ ମଧ୍ୟାମରେ ନିୟମତି ସରକାରୀ ଉଦ୍ୟୋଗର ଆର୍ଥିକ ଅବସ୍ଥା ଅନୁଧ୍ୟାନ କରାଯାଉଛି। ଏ ସବୁ ପଦକ୍ଷେପକୁ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟମାନେ ଏପରି କରିବା ଦରକାର ବୋଲି ଆରବିଆଇ ପରାମର୍ଶ ଦେଇଛି ।
ବିଭିନ୍ନ ରାଜ୍ୟ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ସିଏସଏଫ୍ ଓ ଜିଆରଏଫ ଆକାଉଣ୍ଟରେ ଅର୍ଥ ରଖି ଥାଆନ୍ତି । ସିଏସଏଫ୍ ହେଉଛି କନସୋଲିଡେଟେଡ୍ ସିଙ୍କିଂ ଫଣ୍ଡ । ଜିଆରଏଫ୍ ହେଉଛି ଗ୍ୟାରେଣ୍ଟି ରିଡେମ୍ପସନ୍ ଫଣ୍ଡ । ୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶର ୨୩ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ CSF ସଦସ୍ୟ ଥିବା ବେଳେ ୧୮ଟି ରାଜ୍ୟ GRF ସଦସ୍ୟ ରହିଛନ୍ତି । CSFରେ ଓଡ଼ିଶାର ଲିୟାବିଲିଟିଜ୍ର ୧୫ ପ୍ରତିଶତ ଅର୍ଥ ଅଛି । ସରକାର ଯେତିକି ଗ୍ୟାରେଣ୍ଟି ଦେଇଛନ୍ତି ତାର ୨୫ ପ୍ରତିଶତ GRFରେ ରହିଛି । ମହାମାରୀ ସମୟରେ କନସୋଲିଡେଟେଡ୍ ସିଙ୍କିଂ ଫଣ୍ଡକୁ ବ୍ୟବହାର କରି ଖୋଲା ବଜାରରୁ ଓଡ଼ିଶା କମ୍ ସୁଧରେ ଋଣ କରି ପାରୁଛି ।
ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ଵିଟ୍ କରି ବିତ୍ତୀୟ ସଂକଟ ପରିଚାଳନାରେ, ଓଡ଼ିଶାର ତ୍ରିସ୍ତରୀୟ ପଦକ୍ଷେପର ଆର୍ବିଆଇର ପ୍ରଂଶସା କଥା ଉଲ୍ଲେଖ କରିଛନ୍ତି।