କିଟ୍‌ ବାୟୋଟେକ୍ନୋଲୋଜି ସ୍କୁଲ୍‌ ପକ୍ଷରୁ ଆର ଏଣ୍ଡ ଡି କନକ୍ଲେଭ ଅନୁଷ୍ଠିତ: ଯୋଗ ଦେଲେ ପ୍ରଫେସର ଏ.କେ ସୁଦ୍‌

କେନ୍ୟୁଜ୍(ବ୍ୟୁରୋ):କିଟ୍‌ର ରୌପ୍ୟଜୟନ୍ତୀ ପାଳନ ପରିପ୍ରେକ୍ଷୀରେ କିଟ୍‌ ବାୟୋଟେକ୍ନୋଲୋଜି ସ୍କୁଲ୍‌ ପକ୍ଷରୁ ଆର ଏଣ୍ଡ ଡି କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପଦ୍ମଶ୍ରୀ ପ୍ରଫେସର ଏ. କେ ସୁଦ୍‌ କହିଲେ, ଯେ କୌଣସି ସର୍ଜନା ରାତାରାତି ସଫଳତାର ଶୀର୍ଷରେ ପହଞ୍ଚି ପାରିନଥାଏ । ଏଥିପାଇଁ ସମୟ ଆବଶ୍ୟକ କରିଥାଏ । ନବ ସର୍ଜନା ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଗବେଷଣା ବିଶେଷ କରି ଇ-ବର୍ଜ୍ୟ ପରିଚାଳନା ଏବଂ ଗଭୀର ବୈଷୟିକ ଭିତ୍ତିକ ଷ୍ଟାର୍ଟଅପ୍‌ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ସିଏସ୍‌ଆଇଆରର ‘ପାରମ୍ପରିକ ଜ୍ଞାନ ଡିଜିଟାଲ୍‌ ଲାଇବ୍ରେରୀ’ ଭଳି କିଟ୍‌ ଟିବିଆଇ ‘ଜନଜାତି ଜ୍ଞାନ ଡିଜିଟାଲ୍‌ ଲାଇବ୍ରେରୀ’ ପ୍ରତିଷ୍ଠା କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ସଭିଙ୍କଠାରୁ କିଛି ନୂତନ ଏବଂ ଭିନ୍ନ କରିବା ପାଇଁ ଚେଷ୍ଟିତ ହେବା ଦରକାର ।

ଦେଶରେ ସର୍ଜନା କ୍ଷେତ୍ରରେ ଆର ଏଣ୍ଡ ଡି ବହୁତ ଭଲ କାର୍ଯ୍ୟ କରିଆସୁଛି ବୋଲି ପ୍ରଫେସର ସୁଦ୍‌ କହିଥିଲେ । ସମ୍ମାନୀୟ ଅତିଥି ଭାବେ ଏନଆରଡିସି-ସିଏମଡି ଅମିତ ରସ୍ତୋଗି ଯୋଗଦେଇ ଜାତୀୟ ଅନୁସନ୍ଧାନ ବିକାଶ ନିଗମ ଅନୁସନ୍ଧାନମୂଳକ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀଙ୍କୁ ସବୁବେଳେ ସୁଯୋଗ ପ୍ରଦାନ କରି ଆସୁଛି । ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ଷ୍ଟାର୍ଟଅପ୍‌ ବିକଶିତ କରିବା ଏବଂ ଗବେଷଣା ନିମନ୍ତେ ଏନ୍‌ଆର୍‌ଡିସି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ କିଟ୍‌ ଟିବିଆଇର ସଫଳତା ଉପରେ ବକ୍ତବ୍ୟ ରଖିଥିବା ବେଳେ କିଟ୍‌ ଆର ଏଣ୍ଡ ଡି ଡିଜି ମୃତ୍ୟୁଞ୍ଜୟ ସୁଆର ଅତିଥି ପରିଚୟ ପ୍ରଦାନ କରିଥିଲେ । କିଟ୍‌ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ସିଏସ୍‌ଆଇଆର- ଆଇଏମଏମଟି ନିର୍ଦ୍ଦେଶକ ଏସ୍‌ ବସୁ, ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି, ଆଇସିଟି ନିର୍ଦ୍ଦେଶକ ପିଆର ଭାବିଆ ଏବଂ କିଟ୍‌ ଆର ଏଣ୍ଡ ଡି ନିର୍ଦ୍ଦେଶକ ପ୍ରଫେସର ଜିସି କୁଣ୍ଡୁ ପ୍ରମୁଖ ଯୋଗଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.