ନକଲି ପୋଲିସ ଡ୍ରେସ୍ ସହ ନକଲି ଡକ୍ୟୁମେଣ୍ଟ । ଏସବୁକୁ ନେଇ ଗରିବ ନିରୀହ ଲୋକଙ୍କୁ ଠକୁଥିଲେ ଠକ ଦଳ । ପୋଲିସ ଡ୍ରେସ ପିନ୍ଧି ଲୋକଙ୍କୁ ଡରାଇ ଧମକାଇ ଲୁଟୁ ଥିଲେ । କିନ୍ତୁ ଚୋର ଘର ତ ସବୁଦିନେ ଅନ୍ଧାର ନଥାଏ । କେତେ ଦିନ ବା ଏଭଳି ଲୁଟ କରିଥାନ୍ତେ ? ଏମାନଙ୍କ ସବୁ ଚାଲାକି ଏବେ ଧରା ପଡ଼ିଛି । ନକଲି ଆଇପିଏସଙ୍କୁ ଧରିଛି ଅସଲି ପୋଲିସ । ଗତକାଲି ନୂଆପଡ଼ା ଜିଲ୍ଲାରୁ ଏଭଳି ୩ ଜଣ ଠକଙ୍କୁ ଗିରଫ କରିଛି ପୋଲିସ ।
ମୁରିବାହାଲରେ ଭଡା ଗାଡିକୁ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ ଠକ ଦଳ । କିନ୍ତୁ ଏହି ଲୁଟ ଯେ ସେମାନଙ୍କୁ ମହଙ୍ଗା ପଡିବ ସେମାନେ କେବେ ବି ଭାବି ନଥିଲେ । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ । ଅଭିଯୁକ୍ତଙ୍କ ଠାରୁ ନକଲି ଆଇପିଏସ ଅଫିସର ୟୁନିଫର୍ମ, ନକଲି କ୍ରାଇମ ବ୍ରାଞ୍ଚ ଅଫିସର ଆଇଡି କାର୍ଡ, ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ ପୋଷାକ ସହ ବିଭିନ୍ନ ନକଲି ସାମଗ୍ରୀ ଜବତ କରିଛି ପୋଲିସ ।
ତେବେ ନୂଆପଡ଼ା ଜିଲ୍ଲା ସିରତୋଲ ଗାଁର ସାଲେଗ୍ରାମ ଦଣ୍ଡସେନାଙ୍କ ବୋଲେରୋକୁ ହଡ଼ପ କରିବା ପାଇଁ ଅଭିଯୁକ୍ତମାନେ ଚେଷ୍ଟା କରିଥିଲେ । ୩ ଜଣ ଅଭିଯୁକ୍ତ ସାଦା ପୋଷାକରେ ଆସି ସାଲେଗ୍ରାମଙ୍କୁ ଖଡିଆଳ ଯିବେ ବୋଲି କହିଥିଲେ । ପରେ ସାଲେଗ୍ରାମ ନିଜ ବୋଲେରୋରେ ସେମାନଙ୍କୁ ବସାଇ ଖଡିଆଳ ବାହାରିଥିଲେ । କିନ୍ତୁ ମୁରିବାହାଲ ଥାନା ଅନ୍ତର୍ଗତ ଯମୁନା-ମୁରିବାହାଲ ବୁଲାଣି ଠାରେ ଗାଡିକୁ ଅଟକାଇ ଥିଲେ ଅଭିଯୁକ୍ତ । ନିଛାଟିଆ ସ୍ଥାନ ଦେଖି ସାଲେଗ୍ରାମଙ୍କ ଠାରୁ ତାଙ୍କ ଗାଡି ଚାବି ମାଗିଥିଲେ । ଏଥିରେ ଗାଡ଼ି ମାଲିକ ସାଲେଗ୍ରାମ ଭୟଭୀତ ହୋଇ ଜୋରରେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଆଖ ପାଖ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏହା ସହିତ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରି ମୁରିବାହାଲ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଏହି ଠକମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବାରୁ ସବୁ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।
ଏହି ଠକ ଦଳ କିଭଳି ପୋଲିସ୍ ପୋଷାକ ପିନ୍ଧି ଲୋକଙ୍କୁ ଡରାଇ ଧମକାଇ ପଇସା ନେଉଥିଲେ ସେସବୁ ଗୋଟି ଗୋଟି କରି କହିଥିଲେ । ସେମାନଙ୍କ ଠାରୁ ବିଭିନ୍ନ କ୍ୟାଡରର ୟୁନିଫର୍ମ ଜବତ ହୋଇଛି । ପୋଲିସ ଆମ ରକ୍ଷକ । ଏଥିପାଇଁ ଅପରାଧୀମାନେ ପୋଲିସକୁ ଭୟ କରନ୍ତି । କିନ୍ତୁ ଏବେ ଅପରାଧୀ ପୋଲିସ ବେଶ ନେଇ ଲୋକଙ୍କୁ ଠକିବା ପାଇଁ ପ୍ଲାନ୍ କରୁଛନ୍ତି । ତେଣୁ ସାବଧାନ ଦର୍ଶକ ବନ୍ଧୁ, ଆପଣଙ୍କୁ କେହି ପୋଲିସ୍ ପୋଷାକ ପିନ୍ଧି ଅଯଥାରେ ଡରାଇଲେ କି ବଟି ମାଗିଲେ ପ୍ରଥମେ ନିଜେ ନିଶ୍ଚିତ ହୁଅନ୍ତୁ ସେ ଅସଲି ନା ନକଲି ପୋଲିସ୍ ।