ସିଭିୟର ହିଟୱେଭ ସହ ୱାର୍ମ ନାଇଟ ପାଇଁ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୪୩.୬ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମଲହରୀ । ତତଲା କଡ଼େଇ ପାଲଟିଛି ପଶ୍ଚିମ ଓଡ଼ିଶା । ଅସହ୍ୟ ତାତିରେ କଲବଲ ଲୋକେ। ଆଜି ସିଭିୟର ହିଟୱେଭ ସହ ୱାର୍ମ ନାଇଟ ପାଇଁ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଚେତାବନୀ ଦିଆଯାଇଛି ।
ଆଜି ପୁଣି ତାତିରେ ରେକର୍ଡ କରିଛି ବୌଦ୍ଧ । ଆଜି ବି ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ଗତକାଲି ୪୨.୫ ଡିଗ୍ରୀ ସେଲସିଅସ୍ ଥିଲା ତାପମାତ୍ରା। ଆଜି ୪୩.୬ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଛି ଦେଶର ଦ୍ବିତୀୟ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ୭ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ। ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମଲହରୀ।
ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୫ ଜିଲ୍ଲାର କିଛି ଅଞ୍ଚଳକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନେକ ଜିଲ୍ଳାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୮ ତାରିଖରେ କୌଣସି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ନାହିଁ। କେବଳ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
୧୯ ତାରିଖରୁ ପାଗ ବଦଳିବ। ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।