ମୁଖ୍ୟମନ୍ତ୍ରୀ ୧୫ ଦିନର ରିଲିଫ କଲେ ଘୋଷଣା

ଗଞ୍ଜାମ୍ ମହେନ୍ଦ୍ରଗିରି ପାହାଡ଼ ଧସି ୧୨ଜଣଙ୍କ ମୃତ୍ୟୁ

ଗଞ୍ଜାମ (କେନ୍ଯୁଜ୍) : ଗଞ୍ଜାମ ଓ ଗଜପତି ଜିଲ୍ଲା ସହ ରାୟଗଡ଼ାର ଗୁଣୁପୁର ସବ୍‌ଡିଭିଜନ୍‌ରେ ୧୫ ଦିନ ପାଇଁ ରିଲିଫ ବଣ୍ଟାଯିବ। ପ୍ରଭାବିତ ପରିବାରର ପ୍ରତି ଚାରିଜଣଙ୍କୁ ୩ ହଜାର ଟଙ୍କା ସହାୟତା ଦିଆଯିବ। ବୟସ୍କଙ୍କୁ ଦୈନିକ ୬୦ ଟଙ୍କା ଓ ଶିଶୁଙ୍କୁ ୪୦ ଟଙ୍କା  ହିସାବରେ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ ଭୁବନେଶ୍ୱରରେ ପରିସ୍ଥିତି ନେଇ ସମୀକ୍ଷା କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ୪୮ ଘଣ୍ଟା ଭିତରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ ହେବ।  କାଲି ସୁଦ୍ଧା ନଳକୂପ ମରାମତି କାର୍ଯ୍ୟ ସରିବ  । ଗଜପତି ଜିଲ୍ଲାରେ ପାହାଡ଼ ଧସି ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଗଜପତି ଜିଲ୍ଲା ବାରଘରରେ ଅଭାବନୀୟ, ହୃଦୟବିଦାରକ ଘଟଣା । ମହେନ୍ଦ୍ରଗିରି ପାହାଡ଼ ଧସି ଗଲା ୧୩ଜଣଙ୍କ ଜୀବନ । ଆଉ ନିଜ ଆଖି ଆଗରେ ନିଜ ସଂପର୍କୀୟଙ୍କ ମୃତ୍ୟୁକୁ ଦେଖିଥିବା ଗାଁଲୋକେ କହିଛନ୍ତି କିପରି ପ୍ରକୃତି ହଠାତ୍‌ ହୋଇଉଠିଥିଲା ଭୟଙ୍କର । ସବୁଠୁ ବଡ଼ କଥା ହେଲା ଏମାନଙ୍କ ନିକଟରେ ବାତ୍ୟା କିମ୍ବା ବନ୍ୟା ସଂପର୍କରେ କିଛି ଆଗୁଆ ସୂଚନା ନଥିଲା ।

ganjam

ଭାଙ୍ଗି ପଡ଼ିଛନ୍ତି ପରିବାର ଓ ସଂପର୍କୀୟ । କାନ୍ଦବୋବାଳିରେ ଫାଟି ପଡୁଛି ପରିବେଶ । ବିପଦ ପରେ ବିପଦ । ବାତ୍ୟା ତିତଲି ଭୟରେ ଆଶ୍ରୟ ନେଇଥିଲେ ପାହାଡ଼ ଗୁମ୍ଫାରେ । ହେଲେ ଦାଉ ସାଧିଲା ପ୍ରକୃତି । ପ୍ରବଳ ବର୍ଷାରେ ଧସିଲା ଗଜପତି ଜିଲ୍ଲା ରାୟଗଡ଼ର ବାରଘରରେ ମହେନ୍ଦ୍ରଗିରି ପାହାଡ଼ । ଆଉ ଲିଭିଯାଇଛି ୧୨ ଜଣଙ୍କ ଜୀବନ ଦୀପ । ସେହିପରି ସନ୍ନିପାତରେ ଅନ୍ୟ ଜଣେ ମହିଳାଙ୍କ ମଧ୍ୟ ମୃତ୍ୟୁ ଘଟିଛି । ମହେନ୍ଦ୍ରଗିରି ପାହାଡ଼ରେ ବାରଘରର କିଛି ଲୋକ ପାହାଡ଼ରେ ଆଶ୍ରୟ ନେଇଥିବା ବେଳେ ଘଟିଛି ଏପରି ଅଭାବନୀୟ, ହୃଦୟବିଦାରକ ଘଟଣା । ଏବେବି ୪ ଜଣ ପଥର ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଆଉ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କିଛି ଗାଁ ଲୋକ କ୍ୟାମେରା ଆଗରେ ବଖାଣିଛନ୍ତି କେମିତି ଆସିଥିଲା ମୃତ୍ୟୁଦୂତ ।

ଏବେ ଘଟଣାସ୍ଥଳକୁ ଯାଉଛନ୍ତି ଉପଜିଲ୍ଲାପାଳ, ଏସ୍‌ପି, ଓଡ୍ରାଫ ଟିମ୍‌, ଅଗ୍ନିଶମ ବାହିନୀ ଓ ଡାକ୍ତରୀ ଦଳ । ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି, ଘଟଣାର ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ଆସିବା ପରେ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ । ତିତଲିରେ ଗଜପତି ଜିଲ୍ଲାରେ ଘଟିଛି ଅଧିକ କ୍ଷୟକ୍ଷତି । ବନ୍ୟା ପାଣି ଘେରରେ ଏବେ ଅନେକ ଗାଁ । ଆଉ ସବୁକୁ ବଳିଯାଇଛି ବାରଘରରେ ପାହାଡ଼ ଧସିବା ଘଟଣା ।

You might also like