କୋଣାର୍କକୁ ଥଟ୍ଟା କରିଥିବା ଅଭିଜିତ୍ ଏବେ ପୁଣି …

ଭୁବନେଶ୍ବର (କେନ୍ଯୁଜ୍) : ୪ ଦିନିଆ ରିମାଣ୍ଡରେ ଅଭିଜିତ୍‌ ଆୟର ମିତ୍ର । ଅଧିକ ପଚରାଉଚରା କରିବାକୁ ତାଙ୍କୁ ରିମାଣ୍ଡରେ ନେଉଛି କୋଣାର୍କ ଥାନା ପୋଲିସ । ଏଥିପାଇଁ ଭୁବନେଶ୍ୱର ଝାରପଡ଼ା ଜେଲରୁ ତାଙ୍କୁ ହେପାଜତରେ ନିଆଯାଉଛି । ଅଭିଜିତ୍‌ କୋଣାର୍କ ସୂର୍ଯ୍ୟମନ୍ଦିର କଳା, ସଂସ୍କୃତି ସଂପର୍କରେ ଅପଶବ୍ଦ ପ୍ରୟୋଗ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏନେଇ ତାଙ୍କ ନାଁରେ କୋଣାର୍କ ଥାନାରେ ରୁଜୁ ହୋଇଥିଲା ମାମଲା ।

ଏହି ମାମଲାର ଅଧିକ ତଦନ୍ତ ଓ ପଚରାଉଚରା କରିବା ପାଇଁ ଅଭିଜିତଙ୍କୁ ରିମାଣ୍ଡରେ ନେଉଛି କୋଣାର୍କ ପୋଲିସ । ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗତ ମଙ୍ଗଳବାର ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା । ଗତମାସରେ ଅଭିଜିତ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଓଡ଼ିଶା ଓ କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ସେପଟେ ଅଭିଜିତଙ୍କ ଓକିଲ ନିଖିଲ ମେହେରା କହିଛନ୍ତି, ରିମାଣ୍ଡ ଅବଧି ଶେଷ ହେବା ପରେ ଜାମିନ ଆବେଦନ କରାଯିବ ।