ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟାରେ ବାତ୍ୟା ! ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରି ବଙ୍ଗୋପସାଗରରେ କରିବ ପ୍ରବେଶ

କେନ୍ଯୁଜ୍: ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟାରେ ଏକ ବାତ୍ୟା ସୃଷ୍ଟି ହେବ । ଏହା ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରିବ ଓ ବଙ୍ଗୋପସାଗରରେ ପ୍ରବେଶ କରିବ । ଏଭଳି ପୂର୍ବାନୁମାନ କରିଛି ଅର୍ନ୍ତଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ‘ଗୁଲାବ’ର ଅବଶିଷ୍ଟାଂଶ ଯେମିତି ଆରବ ସାଗରରେ ବାତ୍ୟା ସୃଷ୍ଟି କରିଥିଲା । ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରିବା ପରେ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି କରିପାରେ । ତେବେ IMD ପକ୍ଷରୁ ଏପର୍ଯ୍ୟନ୍ତ ବାତ୍ୟା ନେଇ ଆଲର୍ଟ ଜାରି କରାଯାଇନାହିଁ । ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟାର ନାଁ ରହଛି ‘ଲାୟନରକ୍‌’ । ଏହାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରିବ ।

ତେବେ ସୂଚନା ଥାଉକି, ବଙ୍ଗୋପସାଗରରେ ପଛକୁ ପଛ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଅକ୍ଟୋବର ଦ୍ବିତୀୟ ସପ୍ତାହ ତଥା ଆସନ୍ତା ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବ କିଭଳି ରହିବ ଏବଂ କେଉଁ ଆଡ଼େ ଗତି କରିବ, ସେନେଇ ସ୍ପଷ୍ଟ ଚିତ୍ର ମିଳି ନ ଥିଲେ ମଧ୍ୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳ ଭାଗକୁ ସ୍ପର୍ଶ କରିବାର ସମ୍ଭାବନା ଅଧିକ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାରମ୍ଭିକ ଆକଳନ କରାଯାଇଛି। ତେବେ ଏହା କେଉଁ ରୂପ ନେଇ ସ୍ଥଳ ଭାଗ ସ୍ପର୍ଶ କରିବ, ସେନେଇ କୌଣସି ଆକଳନ କରାଯାଇନାହିଁ।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସେଭଳି ବଡ଼ ବର୍ଷା ନାହିଁ। ଗତ ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରଠାରେ ସର୍ବାଧିକ ୨୨.୦ ମିମି ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.