ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ : ଏଏସ୍‌ଆଇ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଛି । ତେବେ ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଆଡଭୋକେଟ୍‌ ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଥିଲେ ।

ସେହିଭଳି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ସୋମବାର ଅଦାଲତଙ୍କୁ ଅବଗତ କରିଛନ୍ତି । ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇଥିଲାବେଳେ ଏହାର ଗଣତିମଣତି କାର୍ଯ୍ୟ ନହେବାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଏକ ମିସ‌ କେସ‌୍‌ ରୁଜୁ କରାଯାଇଥିଲା । କ’ଣ ପାଇଁ ଗଣତି ମଣତି କାର୍ଯ୍ୟ କରାଯାଉ ନାହିଁ ତାହା ଉପରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ମେ’ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି।

ସମାଜସେବୀ ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ହରିଶ୍‌‌ ଟଣ୍ଡନ୍‌ ଏବଂ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଥିବା ଜଣାପଡ଼ିଥିଲା । ଭିତର ରତ୍ନଭଣ୍ଡାର ମରାମତି ପାଇଁ ଚାବି ଖୋଜା ପଡ଼ିଥିଲେ ମଧ୍ୟ ଚାବି ମିଳିନଥିଲା । ଜିଲ୍ଲା ଟ୍ରେଜେରିରେ ଚାବି ନଥିବା ପୁରୀର ତତ୍କାଳୀନ ଜିଲ୍ଲାପାଳ କହିବା ପରେ ଆଲୋଡନ ସୃଷ୍ଟି ହୋଇଥିଲା; କିନ୍ତୁ ପରେ ଜିଲ୍ଲା ରେକର୍ଡ଼ ରୁମ୍‌ରେ ଏକ ଡୁପ୍ଲିକେଟ୍‌ ଚାବି ଜଉମୁଦ ଲଫାପାରେ ରହିଥିବା ଜିଲ୍ଲାପାଳ କହିଥିଲେ ।

ଏହାକୁ ନେଇ ସନ୍ଦେହ ହେବାରୁ ଜଷ୍ଟିସ୍‌ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୧୮ ଜୁନ୍‌‌ରେ ଏକ ତଦନ୍ତ କମିସନ ବସାଇଥିଲେ । ସେହିବର୍ଷ ନଭେମ୍ବର ୨୯ରେ କମିସନ ତାଙ୍କ ରିପୋର୍ଟ ଗୃହ ବିଭାଗକୁ ଦେଇଥିଲେ; ମାତ୍ର ରାଜ୍ୟ ସରକାର ଉକ୍ତ ରିପୋର୍ଟକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶ କରିନଥିଲେ । ଉକ୍ତ ରିପୋର୍ଟକୁ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିବାର ନିୟମ ରହିଥିଲେ ମଧ୍ୟ ଏହା କରା ନ ଯିବାରୁ ଆବେଦନକାରୀ ଶ୍ରୀ ବରାଳ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି ।

 

 

ଆହୁରି ପଢ଼ନ୍ତୁ :  ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା, ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ