୧୭ରୁ ରତ୍ନଭଣ୍ଡାର ମରାମତି, ୩ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ
ପୁରୀ : ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ଦ୍ବିତୀୟ ଭୋଗ ମଣ୍ଡପ ବା ଦ୍ବିପ୍ରହର ଧୂପ ଶେଷ ପରେ ଦିନ ୧ ଟା ରୁ ସନ୍ଧ୍ୟା ୬ଟା ଯାଏଁ ଏଏସଆଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରିବ । ଏହି ସମୟରେ ଶ୍ରଦ୍ଧାଳୁ ମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ କିଛି ବିଶେଷ ଦିନ, ଶନିବାର, ରବିବାର, ଡିସେମ୍ବର ୩୧, ନବବର୍ଷ ଏବଂ ନୀତି ବହୁଳ ଦିବସରେ ମରାମତି କାର୍ଯ୍ୟ ବନ୍ଦ ରହିବ ।
ତିନିମାସ ଭିତରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସଆଇ ସମୟ ମାଗିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମୟରେ ଏସଓପି ଅନୁଯାୟୀ କେବଳ ପ୍ରାଧିକୃତ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ର କର୍ମଚାରୀମାନେ ଉପସ୍ଥିତ ରହିବେ । ସମସ୍ତ ସୁରକ୍ଷା ଉପକରଣ ସମସ୍ତେ ପରିଧାନ କରିବେ । ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇ ରତ୍ନଭଣ୍ଡାରକୁ ଅଣାଯିବ । ଏହାପରେ ରତ୍ନଭଣ୍ଡାର ଭିତରେ ହିଁ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ।
ଅନ୍ୟପଟେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ଚେଷ୍ଟା କରାଯିବ । କାର୍ଯ୍ୟ କେବେ ଶେଷ ହେବ ତାହା ଏବେ କହିବା ସମ୍ଭବ ନୁହେଁ । ଅନ୍ୟପଟେ ଆସନ୍ତା ଡିସେମ୍ବର ୧୬ ରେ ପହିଲି ଭୋଗ ନୀତି ନିର୍ଘଣ୍ଟ ଏବଂ ଦେବାଭିଷେକ ଓ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇ ଛି। ନୀତିକାନ୍ତିକୁ ଦୁଷ୍ଟିରେ ରଖାଯାଇ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।