ଆଜି ରହସ୍ୟମୟ ରତ୍ନଭଣ୍ଡାର ଖୋଜା: ଗୁପ୍ତ ସୁଡଙ୍ଗ ଚର୍ଚ୍ଚା ଉପରୁ ହଟିବ ପରଦା, ଦିନ ଗୋଟାଏରୁ ଦର୍ଶନ ବନ୍ଦ

ପୁରୀ : ଆଜି ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ ।  ଏଥିରେ ASI ଓ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ହେବେ । ରତ୍ନଭଣ୍ଡାର ମଧ୍ୟରେ ବୈଜ୍ଞାନିକ ସର୍ବେକ୍ଷଣ କରିବାକୁ ବିଭିନ୍ନ ଯନ୍ତ୍ରପାତି ନେବାକୁ ASIକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି ।  ପ୍ରଥମତଃ ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ବ୍ୟବହାର କରାଯିବ ।  ଏହା କୌଣସି ମିଡିଆ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ ହେବ ନାହିଁ ।  ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ଯବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତ ରଖାଯାଇଛି ।  ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହେବ।

ତେଣୁ ଆଜି ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।  ଏଥି ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଆଜି ଦିନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ।  ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି। ପୂର୍ଣ୍ଣାଙ୍ଗ ଅତ୍ଯାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏ.ଏସ୍.ଆଇ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ସାରିବାକୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like