ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ହେବ । ଉପସ୍ଥିତ ରହିବେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ । ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଓ ASIର ସ୍ୱତନ୍ତ୍ର ଟିମ୍‌ ଉପସ୍ଥିତ ରହିବେ । ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ ।  ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ ।

ମିଳିଥିବା ସୂଚନା ଅନୁସାରେ ଏହି ସମୟରେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି ଏଏସଆଇ କରିବ ମରାମତି । ପ୍ରତିଦିନ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫ ଘଣ୍ଟା ମରାମତି କାମ କରାଯିବ ।  ଦିନ ୧୨ଟା ୩୦ କିମ୍ବା ଅପରାହ୍ ଣ ଗୋଟାଏ ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ୫ ଘଣ୍ଟା ମରାମତି କାର୍ଯ୍ୟ କରିବ ଏଏସଆଇ । ପ୍ରଥମେ ଲୁହାଭାରା ବନ୍ଧାଯିବା ପରେ ଡି ପ୍ଲାଷ୍ଟରିଂ ଓ ଏହା ପରେ ପୁରୁଣା ଲୁହା ବିମ୍ ଏବଂ ପଥର ମରାମତି କାର୍ଯ୍ୟ କରାଯିବ ।  ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ । ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ୫ଶହ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ବାରା ମରାମତି କରିବାକୁ ମତ ରଖିଛନ୍ତି ସେବାୟତ।