ରାଜ୍ୟ ଡିଏମ୍ଏଫ୍ ପାଣ୍ଠିରେ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇଛି , ଦେଖନ୍ତୁ ରିପୋର୍ଟ

ଭୁବନେଶ୍ବର : ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ କହିଲେ, ଡିଏମ୍ଏଫ୍ ଟଙ୍କା ଖର୍ଚ୍ଚ କରୁ ନାହାନ୍ତି ସରକାର । ଏବେ ଆସନ୍ତୁ ନଜର ପକାଇବା ରାଜ୍ୟ ଡିଏମ୍ଏଫ୍ ପାଣ୍ଠିରେ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇଛି । ଖର୍ଚ୍ଚ ପରିମାଣ କେତେ ଓ କେଉଁ ଜିଲ୍ଲାରେ କେତୋଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ରାଜ୍ୟ ଖଣି ଓ କୋଇଲା ମନ୍ତ୍ରାଳୟ ୱେବସାଇଟରେ ଉପଲବ୍ଧ ଯେ ୩୧ ଅକ୍ଟୋବର ୨୦୧୮ ସୁଦ୍ଧା ଡିଏମଏଫ୍ ଜରିଆରେ ଆଦାୟ ହୋଇଛି ୫ ହଜାର ୬ଶହ କୋଟି ଟଙ୍କା । ୯ ହଜାର ୩୩୦ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏଥିପାଇଁ ଦିଆଯାଇଛି ମୋଟ୍ ୪ ହଜାର ୪୮୦ କୋଟି ଟଙ୍କା। ଏପର୍ଯ୍ୟନ୍ତ ୮୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କୋଲ୍ ମାଇନ୍ସରୁ ୧ ହଜାର ୬୨୩ କୋଟି, ନନ୍ କୋଲ୍ ମାଇନ୍ସରୁ ୩ ହଜାର ୯୪୮ କୋଟି ଓ ମାଇନର ମାଇନ୍ସ କ୍ଷେତ୍ରରୁ ଆଦାୟ ହୋଇଛି ୨୭ କୋଟି ଟଙ୍କା ।
ଏବେ ନଜର ପକାଇବା ରାଜ୍ୟର ଖଣି ବହୁଳ କିଛି ଜିଲ୍ଲାରେ ଡିଏମ୍ଏଫ୍ରୁ କେତେ ଟଙ୍କା ଆଦାୟ ଓ ଖର୍ଚ୍ଚ ହୋଇଛି । ଅକ୍ଟୋବର ୩୧ ସୁଦ୍ଧା କେନ୍ଦୁଝର ଜିଲ୍ଲାରୁ ମୋଟ୍ ଆଦାୟ ହୋଇଛି ୨ ହଜାର ୨୧୭କୋଟି ଟଙ୍କା । ୬୦୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ବ୍ୟୟବରାଦ ହୋଇଛି ପାଖାପାଖି ୧ ହଜାର ୧୨୦ କୋଟି ଟଙ୍କା। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ଆଦାୟ ହୋଇଛି ୧ ହଜାର ୭୭କୋଟି ଟଙ୍କା । ୪୩୯୨ଟି ପ୍ରକଳ୍ପ ପାଇଁ ଦିଆଯାଇଛି ପ୍ରାୟ ୧ ହଜାର ୪ଶହ କୋଟି। ଯାଜପୁରରୁ ଆଦାୟ ହୋଇଛି ୬୧୭ କୋଟି ଟଙ୍କା। ୭୬୬ ପ୍ରକଳ୍ପ ପାଇଁ ୨୬୭ କୋଟି ଟଙ୍କା ମଞ୍ଜୁର ହୋଇଛି।
DMF ଜରିଆରେ ରାଜ୍ୟ ସରକାର ଖଣି ପ୍ରଭାବିତ ଲୋକଙ୍କ ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁଙ୍କ ବିକାଶ, ପାନୀୟ ଜଳ ଯୋଗାଣ, କ୍ରୀଡା, ପରିବେଶ ସୁରକ୍ଷା ଏବଂ ସାମାଜିକ ମଙ୍ଗଳ ପାଇଁ ଉନ୍ନୟନ ମୂଳକ କାମ କରିଥାନ୍ତି । ଖଣି ପ୍ରଭାବିତ ଅଞ୍ଚଳର ଉନ୍ନତି କରିବା ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।