ମହାନଦୀରେ ବୁଡ଼ି ଯାଇଥିଲେ ୨ ଛାତ୍ର, ଆଜି ମିଳିଲା ମୃତଦେହ

ସମ୍ବଲପୁର : ସମ୍ବଲପୁର ମହାନଦୀରେ ନିଖୋଜ ଦୁଇ ନାବାଳଙ୍କ ମୃତଦେହ ଉଦ୍ଧାର । ସମଲେଶ୍ବରୀ ମନ୍ଦିର ନିକଟ ମହାନଦୀରୁ ଉଭୟଙ୍କ ମୃତଦେହ ମିଳିଛି । ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଛି । ଗତକାଲି ସନ୍ଧ୍ୟାରେ ଦୁଇ ଜଣ ନାବାଳକ ଗାଧାଉଥିବା ବେଳେ ମହାନଦୀରେ ନିଖୋଜ ହୋଇଯାଇଥିଲେ।  ଉଭୟ ନାବାଳକ ସାଙ୍ଗ ଓ କ୍ଷେତରାଜପୁର ତିୱାରୀଗଳିରେ ରହୁଥିଲେ ।  ଗତକାଲି ରାତି ହୋଇଯାଇବାରୁ ସର୍ଚ୍ଚ ଅପେରସନ ବନ୍ଦ ରହିଥିଲା ।

ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ବେଳକୁ ତିୱାରିଗଳିର ୩ ଜଣ ବାଳକ ଖେଳିବା ପାଇଁ ଯାଉଛୁ କହି ଘରୁ ବାହାରି ଯାଇଥିଲେ ।  ସଡ଼କ ଘାଟ ନିକଟରେ ପହଞ୍ଚି ଗାଧୋଇବା ପାଇଁ ୨ ଜଣ ମହାନଦୀକୁ ଡେଇଁ ପଡ଼ିଥିଲେ । କିଛି ସମୟ ମଧ୍ୟରେ ଉଭୟ ଗଭୀର ପାଣିରେ ବୁଡ଼ି ଯାଉଥିବା ଦେଖି ତୃତୀୟ ବାଳକ ଜଣଙ୍କ ଭୟଭୀତ ହୋଇ ତୁରନ୍ତ କ୍ଷେତରାଜପୁର ଥାନାରେ ପହଞ୍ଚି ସାଙ୍ଗମାନେ ବୁଡ଼ି ଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲା ।

ଏହା ପରେ ଅଗ୍ନିଶମ ବିଭାଗର ଟିମ୍‌ ଉଦ୍ଧାର ପାଇଁ ଯାଇଥିଲେ । ମାତ୍ର ବାଳକ ଦୁଇଜଣଙ୍କର ପତ୍ତା ମିଳିନଥିଲା। ଅଗ୍ନିଶମ ଅଧିକାରୀ ସୁଦାମ କିସ୍‌କୋ କହିଛନ୍ତି, ସମ୍ବଲପୁର ଓ ମାନେଶ୍ବର ପଟରୁ ୨ଟି ଟିମ୍‌ ଖୋଜୁଥିଲେ । ଧୋବାପଡ଼ା ଏବଂ ମାରୱାଡ଼ି ଘାଟରୁ ଯେତେ ସମ୍ଭବ ଗଭୀର ସ୍ଥଳକୁ ଯାଇ ଖୋଜାଖୋଜି ଚାଲିଥିଲା । ଅତିରିକ୍ତ ଏସ୍‌ପି, କ୍ଷେତରାଜପୁର ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ ।  ତେବେ ଗତକାଲି ରାତି ହୋଇଯାଇବାରୁ ସର୍ଚ୍ଚ ଅପେରସନ ବନ୍ଦ ରହିଥିଲା । ଆଜି ସକାଳ ୭ଟାରୁ ପୁଣି ଆରମ୍ଭ ହୋଇଛି ଏହି ସର୍ଚ୍ଚ ଅପେରସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like