ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡରେ ବାରହା ଶିକାର ପାଇଁ ବସା ଯାଇଥିବା ଫାଶରୁ ଏକ କଲରା ପାତରିଆବାଘକୁ ବନ ବିଭାଗ ଉଦ୍ଧାର କରିଛି। ଦୀର୍ଘ ୧୦ ଘଣ୍ଟାର ରେସକ୍ଯୁ ଅପରେସନ ପରେ ବାରହା ଫାଶରୁ ମୁକୁଳିଲା କଲରାପତରିଆ । ଟ୍ରାଙ୍କୁଲାଇଜ କରି ୫ ବର୍ଷର କଲରାପତରିଆକୁ ଉଦ୍ଧାର କରିଛି ରେସକ୍ଯୁ ଟିମ । ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘକୁ ଉଦ୍ଧାର ପରେ ଏକ ସ୍ବତନ୍ତ୍ର ଗାଡ଼ିରେ ନନ୍ଦନକାନନ ଅଣାଯାଇଛି ।
ମହାବୀରୋଡ ରେଞ୍ଜ ଘାଘରାମୁଣ୍ଡା ଭୁଲୁକା ପାହାଡ଼ ତଳେ ଫାଶରେ ପଡ଼ିଥିଲା ବାଘ । ଏହାର ବୟସ ପ୍ରାୟ ୫ ବର୍ଷ ହେବ । ଭୁବନେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ କପିଳାସରୁ ରେସକ୍ୟୁ ଟିମ ସହ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ l ଏହି ଅପରେସନରେ ଢେଙ୍କାନାଳ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ବନାଞ୍ଚଳ ୫୦ରୁ ଅଧିକ ବନ କର୍ମଚାରୀ ଓ ପୋଲିସ ନିୟୋଜିତ ଥିଲେ । ଟ୍ରାଙ୍କୁଲାଇଜ ପରେ ତିନୋଟି ଫାଶକୁ କାଟି ବାଘକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଚିକିତ୍ସା କରାଯିବା ପରେ ତାକୁ ନନ୍ଦନକାନନକୁ ଅଣାଯାଇଛି ।