ଆର୍ଥିକ ଅନଗ୍ରସର ସାଧାରଣଙ୍କୁ ୧୦% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ଆଜି ରାଜ୍ୟସଭାରେ ବିଲ୍ ଆଗତ, ଚାଲିଛି ଆଲୋଚନା

ନୁଆଦିଲ୍ଲୀ(କେନ୍ୟୁଜ୍) : ରାଜ୍ୟ ସଭାରେ ଆଗତ ହେଲା ଆର୍ଥିକ ଅନଗ୍ରସର ସାଧାରଣ ବର୍ଗଙ୍କୁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ସାମ୍ବିଧାନିକ ସଂଶୋଧନ ବିଲ୍ । ସବୁ ଦଳ ସମର୍ଥନ କରୁଥିବାରୁ ରାଜ୍ୟସଭାରେ ବି ବିଲ୍ ପାସ ହୋଇଯାଇପାରେ । ଏହାପୂର୍ବରୁ ଗତକାଲି ବହୁମତ ସହ ଲୋକସଭାରେ ଗୃହୀତ ହୋଇଛି ବିଲ୍। ପ୍ରାୟ ୫ ଘଣ୍ଟାର ବିତର୍କ ପରେ ଭୋଟିଂ ହୋଇଥିଲା। ବିଲ ସପକ୍ଷରେ ୩୨୩ ଓ ବିରୋଧରେ ମାତ୍ର ୩ଟି ଭୋଟ ପଡ଼ିଥିଲା। ବିଲକୁ କଂଗ୍ରେସ ସମେତ ସବୁ ବିରୋଧୀ ଦଳ ସମର୍ଥନ କରିଥିଲେ। ପୂର୍ବରୁ କେବଳ ଅନୁସୂଚିତ ଜାତି ଓ ଜନଜାତି ଏବଂ ଓବିସିଙ୍କୁ ସ୍ଥାନ ସଂରକ୍ଷଣ ନେଇ ବ୍ୟବସ୍ଥା ଥିଲା। ଆର୍ଥିକ ଅନଗ୍ରସର ସାଧାରଣ ବର୍ଗଙ୍କୁ ଏଥିରେ ଯୋଡ଼ିବାକୁ ସମ୍ବିଧାନର ଧାରା ୧୫ ଏବଂ ଧାରା ୧୬ର ନୂଆ କ୍ଲଜ୍ ଯୋଡ଼ାଯାଇଛି। ଏହା ଦ୍ୱାରା ସରକାର ଆର୍ଥିକ ଭାବେ ଅନଗ୍ରସର ସାଧାରଣ ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେଇ ପାରିବେ।

ବର୍ତ୍ତମାନ ବ୍ୟବସ୍ଥାରେ ସଂରକ୍ଷଣ ସୀମା ରହିଛି ୫୦ ପ୍ରତିଶତ। ଏସ୍‌ସିଏସ୍‌ଟିଙ୍କ ପାଇଁ ୨୨.୫ ଓ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। କେନ୍ଦ୍ର କି ରାଜ୍ୟ ସରକାର ଯଦି ଏହାଠାରୁ ଅଧିକ ସଂରକ୍ଷଣ ପ୍ରଦାନ କଲେ ଆଇନଗତ ସମସ୍ୟା ସୃଷ୍ଟି ହେବ। ତେଣୁ ଆଇନଗତ ସମସ୍ୟା ଏଡାଇବାକୁ ସରକାର ସମ୍ବିଧାନର ଧାରା ୧୫ ଓ ୧୬ରେ ସଂଶୋଧନ ପାଇଁ ବିଲ ଆଣିଛନ୍ତି। ସମ୍ବିଧାନ ସଂଶୋଧନ ବିଲ୍ ପାସ ହେଲେ ସରକାର ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ପାରିବେ। ଯେଉଁଥିରେ ଉଚ୍ଚ ଶିକ୍ଷାରେ ଉଭୟ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନରେ ସାଧାରଣ ବର୍ଗଙ୍କ ଲାଗି ୧୦ ପ୍ରତିଶତ ଆସନ ସଂରକ୍ଷିତ ରହିବ। ଏହାସହ ଚାକିରୀ କ୍ଷେତ୍ରରେ ମଧ୍ୟ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ରାଜପୁତ, ଠାକୁର, ଜାଟ୍, ମରାଠା, ଭୂମିହରା, କପୁ ଓ କମା ଭଳି ବିଭିନ୍ନ ବଣିକ ଜାତିଙ୍କୁ ସଂରକ୍ଷଣ ମିଳିବ। ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ର ସରକାର ସାଧାରଣ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଉଦ୍ୟମ କରୁଥିବାରୁ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ, କିନ୍ତୁ ପରନ୍ତୁ କଥା କହୁଥିଲେ ମଧ୍ୟ ବିଲକୁ ସିଧା ବିରୋଧ କରୁ ନାହାନ୍ତି ।