କୋରାପୁଟ: ଜ୍ଞାନପୀଠ ବିଜେତା ସାହିତ୍ଯିକ  ଗୋପିନାଥ ମହାନ୍ତିଙ୍କ ବାସ ଭବନ ହେବ ସ୍ମାରକୀ ଭବନ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତିଶୃତି

କୋରାପୁଟ(କେନ୍ୟୁଜ୍): ଜ୍ଞାନପୀଠ ବିଜେତା ସାହିତ୍ଯିକ ଗୋପିନାଥ ମହାନ୍ତିଙ୍କ ବାସ ଭବନ ହେବ ସ୍ମାରକୀ ଭବନ । ରେଳ ଓ ଯୋଗାଯୋଗ  ମନ୍ତ୍ରୀଙ୍କ କୋରାପୁଟ ଗସ୍ତ ପରେ ଖୋଳିଛି  ବାଟ । ଗୋପିନାଥ ମହାନ୍ତିଙ୍କ ସରକାରୀ ବାସଭବନଟି ଏବେ ବିଏସଏନଏଲର ଗୋଦାମ ଗୃହ ପାଲଟିଛି। ଅତୀତରେ ଏହି ସରକାରୀ ବାସଭବନରେ  ପ୍ରଶାସକ ତଥା ପ୍ରସିଦ୍ଧ ଉପନ୍ୟାସିକ ଗୋପିନାଥ ମହାନ୍ତି ରହି କାଳଜୟୀ ରଚନାମାନ ଲେଖିଥିଲେ । ଏହି କୃତିଗୁଡିକ ପାଇଁ ପରବର୍ତ୍ତୀ ସମୟରେ ଜ୍ଞାନପୀଠ ଓ ସାହିତ୍ୟ ଏକାଡେମୀ ଭଳି  ସମ୍ମାନରେ ସମ୍ମନୀତ ହୋଇଥିଲେ ।

ଏହିଭଳି ସ୍ରଷ୍ଟାଙ୍କ ସୃଜନୀର ଏନ୍ତୁଡିଶାଳ ପାଲଟିଥିବା ଏହି ଭବନକୁ  ସ୍ମାରକୀ ରୁପେ ପ୍ରତିଷ୍ଠା କରିବାପାଇଁ କୋରାପୁଟ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ ।  ବିଏସଏନଏଲ ବିଭାଗକୁ ଗୃହଟିକୁ ହସ୍ତାନ୍ତର କରିବା ସକାଶେ ସଂସ୍କୃତି ବିଭାଗ ଅନୁରୋଧ କରିଥଲା ।

 ଏବେ ନିକଟରେ କେନ୍ଦ୍ର ରେଳ ଓ  ସଂଚାର ମନ୍ତ୍ରୀ କୋରାପୁଟ ଗସ୍ତବେଳେ ଗଣ ମାଧ୍ୟମ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୋରାପୁଟ ଜିଲ୍ଲାପାଳ  ନିଜେ  ମନ୍ତ୍ରୀଙ୍କୁ ଭେଟି ଏସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ  ଗୃହଟିକୁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ହସ୍ତାନ୍ତର କରିବାକୁ ବିଏସଏନଲର ଜେନେରାଲ ମ୍ୟାନେଜରଙ୍କୁ ନିର୍ଦେଶ ଦେଇଥିବା ନେଇ  ମନ୍ତ୍ରୀଙ୍କସହ ଗସ୍ତରେ ଥିବା  ରାଜ୍ୟ  ବିଜେପିର ବରିଷ୍ଠ  ନେତା ଭୃଗୁ ବକ୍ସିପାତ୍ର ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିଜେଡି ପକ୍ଷରୁ ସ୍ବାଗତ କରାଯାଇଛି । ଜିଲ୍ଲା  ସଂସ୍କୃତି ବିଭାଗ ଗୃହଟିକୁ ହସ୍ତାନ୍ତର ହେଲାପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.