ଲୋୟର ଇନ୍ଦ୍ର ପ୍ରକଳ୍ପର କେନାଲରୁ ବଞ୍ଚିତ ୪ଟି ପଞ୍ଚାୟତର ବାସିନ୍ଦା , ଚାତକ ପରି ପାଣିକୁ ଅନାଇ ବସିଛନ୍ତି

ବଲାଙ୍ଗୀର: ଚିର ମରୁଡି ପ୍ରପିଡିତ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ । ବଲାଙ୍ଗୀର ଜିଲ୍ଲାରେ ଜଳସେଚନର ସୁବିଧା ଅଛି ମାତ୍ର ୩ ପ୍ରତିଶତ । ଏଭଳି ପରିସ୍ଥିତିରେ ବଙ୍ଗୋମୁଣ୍ଡା ବ୍ଲକରେ ଲୋୟର ଇନ୍ଦ୍ର ପ୍ରକଳ୍ପ ଚାଷୀଙ୍କ ମନରେ ଉତ୍ସାହ ଭରିଦେଲା । ଏ ଅଞ୍ଚଳର ଲୋକେ କେନାଲ ପାଣି ପାଇବେ ଓ ମରୁଡିରୁ ବଞ୍ଚିତ ହେବେ । କେନାଲ ବି ହେଲା କିନ୍ତୁ ବ୍ଲକର ୪ଟି ପଞ୍ଚାୟତର ବାସିନ୍ଦା ଏହି ଲୋୟର ଇନ୍ଦ୍ର ପ୍ରକଳ୍ପର କେନାଲରୁ ବଞ୍ଚିତ ହୋଇଛନ୍ତି । ଏବେ ଏହି ଅଞ୍ଚଳର ହଜାର ହଜାର ଚାଷୀ ଚାତକ ପରି କେନାଲ ପାଣିକୁ ଅନାଇ ବସିଛନ୍ତି ।
ବଙ୍ଗୋମୁଣ୍ଡା ବ୍ଲକର ୨୬ ଟି ପଞ୍ଚାୟତରୁ ପ୍ରାୟ ୨୨ଟି ପଞ୍ଚାୟତର ଅଞ୍ଚଳକୁ ଲୋୟର ଇନ୍ଦ୍ର ପ୍ରକଳ୍ପର କେନାଲ ଗାଁ ମାନଙ୍କୁ ଲାଗିଛି । ହେଲେ ବ୍ଲକର ଉପାନ୍ତ ୪ ଟି ପଞ୍ଚାୟତ ଜାମଖୁଣ୍ଟା, ଚାନ୍ଦୋତରା, ଗନ୍ଧର୍ଲା ଓ ଭୁର୍ଷାଗୁଡାକୁ ଏହି ଲୋୟର ଇନ୍ଦ୍ର ପ୍ରକଳ୍ପର କେନାଲ ପହଞ୍ଚି ନାହିଁ । ଯାହା ଦ୍ୱାରା ଏହି ଅଞ୍ଚଳର ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳସେଚନର ସୁବିଧା ନଥିବା ଏହି ବ୍ଲକରେ ପ୍ରତି ବର୍ଷ ମରୁଡି ପଡିଥାଏ । କେନାଲ ପାଣି ପାଇଲେ ମରୁଡିରୁ ମୁକ୍ତି ମିଳିବ ବୋଲି ଭାବିଥିଲେ । ହେଲେ ଏହି ଆଶା ଏବେ ଆଶାରେ ରହି ଯାଇଛି ।

ଏହି ସବୁ ଅଞ୍ଚଳରେ ଲୋୟର ଇନ୍ଦ୍ର ପ୍ରକଳ୍ପର କେନାଲ ଯାଇ ପାରୁ ନଥିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହଜାର ହଜାର ଚାଷୀ । ଏନେଇ ଅନେକ ଧାରଣା , ଆନ୍ଦୋଳନ ସହ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଦାବି ଜଣାଇଛନ୍ତି ହେଲେ ଆଜି ଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏନେଇ ଆମେ କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିକ୍ରିୟା ନେଇଥିଲୁ ସେ ମଧ୍ୟ ଏହି ପଞ୍ଚାୟତର ଲୋକଙ୍କ ସମସ୍ୟା ବିଷୟରେ ଜାଣିଛନ୍ତି ଆଗାମୀ ଦିନରେ କିପରି ଏ ୪ ଟି ପଞ୍ଚାୟତର ଲୋକେ ଲୋୟର ଇନ୍ଦ୍ର ପ୍ରକଳ୍ପ ଜଳସେଚନର ସୁବିଧା ପାଇବେ ସେ ଉପରେ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାପାଳ ଗୌରୱଶିୱାଜୀ ଇସଲୱାର ମଧ୍ୟ କହିଛନ୍ତି ଆମେ ସରକାରଙ୍କୁ ଜଣାଇବୁ ସରକାର ନିଷତ୍ତି ନେଲେ ଉକ୍ତ ଅଞ୍ଚଳରେ କେନାଲ ପାଣି ଯୋଗାଇ ଦିଆଯିବ ।

ହଜାର ହଜାର ଚାଷୀ କେନାଲ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି l କମ ବର୍ଷା ଯୋଗୁଁ ମରୁଡି ଓ ଅନ୍ୟପଟେ ଜଳସେଚନ ନଥିବା ଯୋଗୁଁ ଏହି ଅଞ୍ଚଳର ଚାଷୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଯଦି ଏହି ଅଞ୍ଚଳରେ ପାଣିର ସୁବିଧା କରାଯାଆନ୍ତା ହଜାର ହଜାର ଚାଷୀ ଉପକୃତ ହୋଇପାରନ୍ତେ ।

You might also like