ହେଭିୱେଟ୍ ନେତାଙ୍କୁ ଥଇଥାନ ପାଇଁ କସରତ, ବିଜେଡି ସୁପ୍ରିମୋ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟସଭା ରେସ୍ରେ ବିଜେଡିରୁ ଡଜେନରୁ ଅଧିକ ଆଶାୟୀ । କିନ୍ତୁ ମାତ୍ର ଆସନ ସଂଖ୍ୟା ତିନି । ଏହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ କିଛି ଆଶୟୀଙ୍କୁ ନିଗମ ସଂସ୍ଥା ଦାୟିତ୍ୱ ଦେଇପାରନ୍ତି । ଏମିତି ଚର୍ଚ୍ଚା ଏବେ ବିଜେଡି ମହଲରେ ଚାଲିଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ, ପଶ୍ଚିମଓଡ଼ିଶା ବିକାଶ ପରିଷଦ, ମହିଳା କମିଶନ ଅଧ୍ୟକ୍ଷ, ଓଡ଼ିଶା ହାଉସିଂ ବୋର୍ଡ ଏବଂ ବିଡ଼ିଏ ଅଧ୍ୟକ୍ଷ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଯେଉଁମାନେ ରାଜ୍ୟସଭା ଆସନରୁ ବଂଚିତ ହେବେ ସେମାନଙ୍କୁ ଏ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ କରିବା ପାଇଁ ଆରମ୍ଭ ହୋଇଛି କସରତ । ଖୁବଶୀଘ୍ର ଏ ବାବଦରେ ଚୂଡାନ୍ତ ନିଷ୍ପତି ବିଜେଡି ସୁପ୍ରିମୋ ନେବେ ବୋଲି କୁହାଯାଉଛି ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆସନ ପାଇଁ କିଶୋର ମହାନ୍ତିଙ୍କ ନାଁକୁ ନେଇ ପୁଣିଥରେ ଚର୍ଚ୍ଚା ଜାରି ରହିଛି । ତାଙ୍କ ସହ ପୂର୍ବତନ ବିଧାୟକ ଅନୁପ ସାଏ ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ଚର୍ଚ୍ଚାରେ ରହିଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ଦୁଇ ତିନିଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଜାରି ରହିଛି । ସେହିପରି ମହିଳା କମିଶନ ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ରଙ୍କ ନାଁ ଆଗକୁ ଆସିଛିି । ହାଉସିଂ ବୋର୍ଡଠାରୁ ଆରମ୍ଭ କରି ବିଡ଼ିଏ ଅଧ୍ୟକ୍ଷ ପଦବୀରେ କିଛି ବରିଷ୍ଠ ନେତାଙ୍କୁ ଥଇଥାନ କରିବା ପାଇଁ ଉଦ୍ୟମ ଚାଲିଛି ।
ଏବେ ରାଜ୍ୟସଭାର ତିନି ଆସନ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ । ଏଭଳି ସ୍ଥିତିରେ ଆସନ୍ତାବର୍ଷ ଏପ୍ରିଲରେ ରାଜ୍ୟସଭାର ଆଉ ତିନି ଆସନ ଖାଲି ହେବାକୁ ଯାଉଛି । ସେତେବେଳେ ଯାଏ ଆଶାୟୀଙ୍କୁ ଝୁଲାଇ ରଖିପାରନ୍ତି ବିଜେଡି ସୁପ୍ରିମୋ ।