ସମୁଦ୍ରରେ ମାଛ ମରା ଉପରେ ଲାଗିଛି କଟକଣା, ଚିନ୍ତାରେ ପଡିଲେ ମତ୍ସ୍ୟଜୀବୀ ପରିବାର

କିଏ ଛୁଞ୍ଚି ସୂତାରେ ଜାଲ ସିଲେଇ କରୁଛି ତ କିଏ ଜାଲକୁ ଖରାରେ ଶୁଖାଉଛି । ଆଉ କିଏ ମାଛ ଧରା ବୋଟ ପରିଷ୍କାର କରିବାରେ ଲାଗି ପଡିଛି । ଯେଉଁଠି ରାତି ପାହିଲେ ହଜାର ହଜାର ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ବ୍ୟବସାୟୀଙ୍କ ଗହଳି ଲାଗୁଥିଲା । ସେଠି ଆଜି ପରିବେଶ ପୂରା ଖାଁ ଖାଁ ଲାଗୁଛି । ଏ ଦୃଶ୍ୟ ହେଉଛି ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମାଛ ଧରା ଜେଟିର । ଏହି ଜେଟି ଉପରେ ପ୍ରତକ୍ଷ ଏବଂ ପରୋକ୍ଷ ଭାବରେ ହଜାର ହଜାର ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀ ନିର୍ଭର କରୁଥିବା ବେଳେ ଏବେ ସମୁଦ୍ରରୁ ମାଛ ମାରିବା ଉପରେ କଟକଣା ଲାଗି ଥିବାରୁ ସମସ୍ତେ ଏବେ ରୋଜଗାର ହରାଇଛନ୍ତି । ଯାହା ଫଳରେ ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ପରିବାର ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।
ଏପ୍ରିଲରୁ ଜୁନ ୧୫ ପର୍ଯ୍ୟନ୍ତ ମାଛ ମାନଙ୍କର ଅଣ୍ତା ଦାନର ସମୟ । ଏହି ଦୁଇ ମାସ ସମୁଦ୍ରରେ ଚାଲିବ ନାହିଁ ମାଛ ଧରା ବୋଟ କିମ୍ବା ଯନ୍ତ୍ର ଚାଳିତ ଡଙ୍ଗା । ସମୁଦ୍ରରେ ମାଛ ମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ମତ୍ସ୍ୟ ନିର୍ଦ୍ଦେଶଳାୟ ପକ୍ଷରୁ ଚିଠି ମାଧ୍ୟମରେ ବିଧିବଦ୍ଧ ଭାବରେ ସମୁଦ୍ରରେ ମାଛ ଧରିବା ବନ୍ଦ ଘୋଷଣା ହେବାପରେ ସମୂଦ୍ର ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ମୁଣ୍ତରେ ଚଡକ ପଡିଛି । ଓଡିଶା ସାମୁଦ୍ରିକ ମତ୍ସ୍ୟ ନିୟମ ୧୯୮୨ ଅନୁଯାୟୀ ମାଛ ଓ କଇଂଚଙ୍କ ଅଣ୍ତାଦାନ ସମୟ ହୋଇଥିବାରୁ ପ୍ରତିବର୍ଷ ମାଛ ଧରା ବନ୍ଦ ରହିଥାଏ । ସରକାରଙ୍କ ଏହି ନିଷ୍ପତ୍ତିକୁ ମତ୍ସ୍ୟଜୀବୀ ମାନେ ସ୍ବାଗତ କରିଥିବା ବେଳେ ଦୁଇ ମାସ ପାଇଁ ପରିବାର ପ୍ରତିପୋଷଣ ଚିନ୍ତାରେ ଅଛନ୍ତି ମତ୍ସ୍ୟଜିବୀ ।
ଅନ୍ୟପଟେ ବାହାବଳପୁର ଜେଟିରେ ମତ୍ସ୍ୟ ବିଭାଗ ପକ୍ଷରୁ ମାଇକ ଯୋଗେ ପ୍ରଚାର କରିବା ସହ ମେରାଇନ ଥାନା ପୋଲିସ ଓ ମତ୍ସ୍ୟ ବିଭାଗର ଅଧିକାରୀ ମାନେ ମତ୍ସ୍ୟଜୀବୀ ମାନଙ୍କୁ ସଚେତନ କରାଇଛନ୍ତି ।
ହଜାର ହଜାର ମତ୍ସ୍ୟଜୀବୀ ଜିବୀକା ହରାଇ ଏବେ ପରିବାର ପ୍ରତିପୋଷଣ ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ଦୁଇ ମାସ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ଆମେ ଏନେଇ ବାଲେଶ୍ବର ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି ଯେଉଁ ଗରୀବ ମତ୍ସ୍ୟଜୀବୀ ମାନେ ସୋସାଇଟିରେ ପଞ୍ଜୀକୃତ ହୋଇଛନ୍ତି କେବେଳ ସେଇ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ।
ସମୁଦ୍ରରେ ମାଛ ମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ମତ୍ସ୍ୟ ନିର୍ଦ୍ଦେଶଳାୟ ପକ୍ଷରୁ ଚିଠି ମାଧ୍ୟମରେ ବିଧିବଦ୍ଧ ଭାବରେ ସମୁଦ୍ରରେ ମାଛ ଧରିବା ବନ୍ଦ ଘୋଷଣା ହୋଇଛି । ଯାହା ଫଳରେ ସମୂଦ୍ର ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ମୁଣ୍ତରେ ଚଡକ ପଡିଛି । ବର୍ତ୍ତମାନ ବାଲେଶ୍ବର ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି ଗରୀବ ମତ୍ସ୍ୟଜୀବୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ।