ବରଡ଼ା ଛକରେ ମା ଓ ଝିଅଙ୍କୁ ଟ୍ରକ୍ ଚଢାଇ ହତ୍ୟା ଘଟଣା: ଆସିଲା ସେଦିନ ହୋଇଥିବା ଝଗଡାର ଏକ ଭିଡିଓ

ଯାଜପୁର (କେନ୍ୟୁଜ): ଚଣ୍ଡିଖୋଲ – ଡୁବୁରୀ ୫୩ନଂ ଜାତୀୟ ରାଜପଥ ବରଡ଼ା ଛକରେ ଗାଡି ଚଢାଇ ମା ଓ ଝିଅଙ୍କୁ ହତ୍ୟା ଘଟଣା ଆସିଲା ଏକ୍ସକ୍ଲୁସିଭ ଭିଡିଓ। ମା ଓ ଝିଅଙ୍କ ଉପରେ ଟ୍ରକ ଚଢାଇବା ପୂର୍ବରୁ ଡ୍ରାଇଭର ସହ ସେମାନଙ୍କ ମଧ୍ୟରେ ହୋଇଥିବା ବଚସାର ଏକ ଭିଡିଓ ଏବେ କେନ୍ୟୁଜ୍ ହାତରେ ଲାଗିଛି।

ସୂଚନା ମୁତାବକ ଅଗଷ୍ଟ ୩ ତାରିଖରେ ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ମା ଓ ଝିଅକୁ ଗାଡି ଚଢାଇ ହତ୍ୟା କରାଯାଇଥିଲା। ତେବେ ଏହି ଘଟଣାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଡ୍ରାଇଭର ଅମର ସ୍ବାଇଁଙ୍କ ସହ ମା ଓ ଝିଅଙ୍କର ଜାତୀୟ ରାଜପଥର ଆରୁହା ଛକ ନିକଟରେ ସାଇଟ ମରାକୁ ନେଇ ବଚସା ହୋଇଥିଲା। ପରେ କ୍ରୋଧରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଅମର ଦୁହିଁଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲା।

ଆରୁହା ଛକରେ ବଚସା ହୋଇଥିବା ଦୃଶ୍ୟ ଏବେ ସାମନାକୁ ଆସିଛି। ଏଥିରେ ଡ୍ରାଇଭର ଅମରଙ୍କ ସହ ଯୁକ୍ତିତର୍କ କରୁଛନ୍ତି ମା ଶ୍ରୀତିକା ଚକ୍ରବର୍ତ୍ତି। ଏହି ସମୟରେ ଝିଅ ସୋନାଲି ମୋବାଇଲରେ ଏହି ଦୃଶ୍ୟକୁ ରେକର୍ଡ଼ିଂ କରିଥିଲେ। ଏହାର ମାତ୍ର କିଛି ସମୟ ପରେ ପ୍ରତିଶୋଧ ପରାୟଣ ହୋଇ ଅମର ଉଭୟ ମା ଓ ଝିଅଙ୍କ ଉପରେ ଗାଡି ଚଢାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିଲା। ପରେ ପୋଲିସ ଘଟଣାର ପୃଷ୍ଠଭୂମି ସମ୍ପର୍କରେ ଅନୁସନ୍ଧାନ କରି ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଅମରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.