ବାଙ୍ଗିରପୋଷିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ କାଳବୈଶାଖୀ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ

ବାଙ୍ଗିରପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କାଳବୈଶାଖୀ ବର୍ଷାରେ କ୍ଷତିଗ୍ରସ୍ତଙ୍କ ଘର ବୁଲି ଦେଖିଲେ ରାଜସ୍ବ ମନ୍ତ୍ରୀ । ରାଜସ୍ବ ମନ୍ତ୍ରୀଙ୍କ ସହ ଉପସ୍ଥିତ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଅଛନ୍ତି । କାଳବୈଶାଖୀରେ ଏକର ଏକର ଜମିର ଚାଷ ଉଜୁଡି ଯାଇଛି । ୫ ବ୍ଲକ ୧୯ଟି ପଞ୍ଚାୟତର ୪୭ଟି ଗାଁ ପ୍ରଭାବିତ ହୋଇଛି । ୩୬୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିଛି । ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ବର୍ଷାରେ ଏବେ ବି ବାର ଦୁଆର ହେଉଛନ୍ତି ଲୋକେ । କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ଆଜି ସନ୍ଧ୍ୟା ସୁଦ୍ଧା କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ବାଙ୍ଗିରିପୋଷି ବ୍ଲକ୍ର ସୋରାସପୋଷି, ହାଣଦା, ସିଲପୁଞ୍ଜି, ମଣଦା, ମହୁଲବରେଇ ଓ ବିଶୋଇ ବ୍ଲକ୍ର ମୂଷାମାରି, ପୁଣ୍ଡିଦା, ଖଡମବେଢ଼ା, ସାରସପଡ଼ା, କେଶରଗଡ଼ିଆ ଆଦି ସ୍ଥାନର ସ୍ଥିତି ବୁଲି ଦେଖିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦିଆଯିବ ଓ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ହିତାଧିକାରୀମାନଙ୍କୁ ମଧ୍ୟ ଅନ୍ତ୍ୟୋଦୟ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ ।
ମୟୂରଭଞ୍ଜ ଜିଲ୍ଲାର ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତିର ଆକଳନ ଅନୁଯାୟୀ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୯ କୋଟି ୬୫ ଲକ୍ଷ ୧୦ ହଜାର ୬୫୮ ଟଙ୍କା ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ପଲିଥିନ୍ ଯୋଗାଇ ଦିଆଯାଇଥିବାବେଳେ ଆଶ୍ରୟ ସ୍ଥଳରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ମନ୍ତ୍ରୀ ଶ୍ରୀ ପୂଜାରୀ ରିଲିଫ କ୍ୟାମ୍ପ ରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ମିଶି ଭୋଜନ କରିବା ସହ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ଥିତିର ସମୀକ୍ଷା କରିଥିଲେ ଅସନ୍ତାକାଲି ସୁଦ୍ଧା ଗୃହ ମରାମତି, ଆବଶ୍ୟକ ଲୁଗାପଟା, ବାସନକୁସନ ପାଇଁ ଆର୍ଥୀକ ସହାୟତା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଥିଲେ l
ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାୟକ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଓ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରମୁଖ ଉପସ୍ଥିତ ଥିଲେ ।