ଭାରତ ଛାଡ଼ିବା ପାଇଁ ରେଜିଆଙ୍କୁ ଆସିଛି ନୋଟିସ, ବଢ଼ିଛି ପରିବାର ଲୋକଙ୍କ ଚିନ୍ତା

ସୋର: ଜନ୍ମ ହେବା ଠାରୁ ଆଜି ଯାଏଁ ବାଲେଶ୍ୱର ଜିଲ୍ଲା ସୋର ଥାନାସ୍ଥିତ ପଠାଣ ମହଲାରେ ରହି ଆସୁଛନ୍ତି ରେଜିଆ ସୁଲତାନ । ଏପରିକି ଅଧାର କାର୍ଡ ଠାରୁ ଆରମ୍ଭ କରି ସମସ୍ତ ପରିଚୟ ପତ୍ର ଭାରତର । କିନ୍ତୁ ତାଙ୍କୁ ଭାରତ ଛାଡ଼ିବା ପାଇଁ ଆସିଛି ନୋଟିସ । ନୋଟିସ ଆସିବା ପରେ ୭୦ ବର୍ଷିୟ ରେଜିଆଙ୍କ ମୁଣ୍ଡ ଉପରେ ଯେମିତି ଚଡ଼କ ପଡ଼ିଯାଇଛି । ପରିବାର ଲୋକେ କଣ କରିବେ କଣ ନାହିଁ କିଛି ବୁଝି ପାରୁ ନାହାନ୍ତି । ବର୍ତ୍ତମାନ ଶଯ୍ୟାଶାୟୀ ଅଛନ୍ତି ରେଜିଆ ସୁଲତାନ । ଏପରିସ୍ଥଳେ ଜିଲ୍ଲା ପ୍ରଶାସନ ଦେଇଥିବା ନୋଟିସ ପରିବାର ଲୋକଙ୍କ ଚିନ୍ତା ବଢ଼ାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ପାକିସ୍ତାନ ଯିବା ପାଇଁ ନୋଟିସ ପାଇବା ପରେ ଚିନ୍ତାରେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ୭୦ ବର୍ଷୀୟ ରେଜିଆ ସୁଲତାନ । ବାଲେଶ୍ୱର ଜିଲ୍ଲା ସୋର ଥାନାସ୍ଥିତ ପଠାଣ ମହଲାରେ ଦୀର୍ଘ ୭୦ ବର୍ଷ ଧରି ରେଜିଆ ସୁଲତାନ ରହି ଆସୁଥିବା ବେଳେ ହଠାତ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତ ଛାଡିବା ପାଇଁ ନୋଟିସ ଆସିଛି । ନୋଟିସ୍ ପାଇବା ପରେ ପରିବାର ଲୋକେ ଆଶା ଆଶଙ୍କାରେ ଅଛନ୍ତି । ସରକାରଙ୍କ ପକ୍ଷରୁ ଭାରତ ଛାଡିବା ପାଇଁ ଡେଟଲାଇନ ଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଆସିନଥିବା ନେଇ ରେଜିଆ ସୁଲତାନଙ୍କ ପୁଅ ପ୍ରକାଶ କରିଛନ୍ତି । ନୋଟିସ ପାଇବା ପରେ ଅସୁସ୍ଥ ଥିବା ରେଜିଆ ସୁଲତାନ ଏବେ ଶଯ୍ୟାଶାୟୀ ହୋଇ ପଡିଥିବା ଦେଖିବାକୁ ମିଳିଛି । ରେଜିଆଙ୍କ ଘରେ  ଅଞ୍ଚଳବାସୀ ତଥା ସମ୍ପର୍କୀୟ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ଥରେ ବି ପାକିସ୍ତାନ ଯାଇନଥିବା, ପାକିସ୍ତାନର କୌଣସି ଦସ୍ତାବିଜ ନଥିବା ବେଳେ କେଉଁ ଭଳି ଭାବେ ତାଙ୍କୁ ନୋଟିସ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ପରିବାରବର୍ଗ ତଥା ଅଞ୍ଚଳବାସୀ ।

ଦୀର୍ଘ ୫୦ ବର୍ଷ ଧରି ସେ ଭୋଟ ଦେଇଥିବାବେଳେ ଏବେ କେମିତି ତାଙ୍କୁ ପାକିସ୍ତାନ ଯିବାକୁ କୁହାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସମସ୍ତେ । ଏ ଘଟଣାକୁ ସରକାର ଓ ପ୍ରଶାସନ ଆଉ ଥରେ ତର୍ଜମା କରି ନୋଟିସ ଫେରାଇ ନେବାକୁ ଅଞ୍ଚଳବାସୀମାନେ ଦାବି କରିଛନ୍ତି  ।

Also Read: ମା ଭାରତୀୟ ବାପା ପାକିସ୍ତାନୀ, ନାବାଳିକା ପିଲା ରହିବେ କେଉଁଠି ?