ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଚୂଡ଼ାନ୍ତ: ସକାଳ ୪ଟାରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି

ପୁରୀ : କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ। ଅନୁମୋଦିତ ନୀତିନିର୍ଘଣ୍ଟ ଅନୁସାରେ, ସକାଳ ୪ଟାରୁ ଦ୍ବାର ଫିଟା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ତଥା ଶୃଙ୍ଖଳିତ ଦର୍ଶନ ସକାଶେ ପଦକ୍ଷେପ ଗ୍ରହଣ ପାଇଁ ଖୁବଶୀଘ୍ର ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସ୍ତରରେ ବୈଠକ କରି ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପରେ ପଞ୍ଚୁକ ଚାଲିବ। ଚଳିତବର୍ଷ ପଞ୍ଚୁକ ୪ ଦିନ ପଡିଛି । ଫଳରେ ଏଥର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ ।  ତେବେ ଏହି ସ୍ୱତନ୍ତ୍ର ନୀତିକାନ୍ତି କିପରି ସୁରୁଖୁରରେ ସମ୍ପନ୍ନ ହେବ ସେ ନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିଲା ।  ଏତଦ୍‌ବ୍ୟତୀତ ଭକ୍ତ ଏବଂ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ବାଳଭୋଗ, ଠିକ୍‌ ସମୟରେ ମହାପ୍ରସାଦ ବାହାରିବା ଏବଂ ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, କାର୍ତ୍ତିକ ମାସରେ ରାତ୍ର ୧୨ଟାରେ ପହୁଡ଼ ସମ୍ପନ୍ନ ହୋଇ ରାତି ୪ଟାରେ ଦ୍ୱାର ଫିଟାଯିବ। ସାଢେ ୪ଟାରେ ଭିତର ଶୋଧ କରାଯାଇ ଭୋର ୫ଟାରେ ମଙ୍ଗଳ ଆଳତି କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି । ଧର୍ମମାସ କାର୍ତ୍ତିକର ମୁଖ୍ୟ ଆକର୍ଷଣ ରାଧାଦାମୋଦର ବେଶ ସକାଳ ସାଢେ ୬ଟାରୁ ସାଢେ ୭ଟାରେ ସମ୍ପନ୍ନ ହେବ ।  ସାଢେ ୮ଟାରୁ ସାଢେ ୯ଟା ସକାଳ ଧୂପ (କେବଳ କୋଠଭୋଗ) ପରେ ପୂର୍ବାହ୍ନ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ବାଳଧୂପ ବଢିବ।  ସେହିପରି ପଞ୍ଚୁକକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିବାବେଳେ ଏହାର ତାରିଖ ନିର୍ଘଣ୍ଟ ହୋଇଛି । ଏଥର ପଞ୍ଚୁକ ୪ ଦିନ ପଡିଛି । ନଭେମ୍ବର ୧୨ ତାରିଖରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ସହିତ ହରି ଉତ୍‌ଥାପନ ନୀତି ରହିଛି । ସେହିପରି ୧୩ରେ ବାଙ୍କଚୁଡ଼ ବା ବାମନ ବେଶ ଥିବାବେଳ ଏହିଦିନ ଗରୁଡ଼ ଉତ୍‌ଥାପନ ନୀତି ମଧ୍ୟ ପଡିଛି । ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ରହିଥିବା ବେଳେ ଏହା ପରଦିନ ଅର୍ଥାତ୍‌ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ହେବା କଥା ।  ମାତ୍ର ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି ।  ତେଣୁ ଏଥର ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ ।

ବୈଠକରେ ଓବିସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦର୍ଶନ ଯୋଜନା ସମ୍ପର୍କିତ ଏକ ଉପସ୍ଥାପନା କରାଯାଇଥିଲା । ଏଥିରେ ଦର୍ଶନାର୍ଥୀଙ୍କ ପାଇଁ ନାଟମଣ୍ଡପରେ ସ୍ବତନ୍ତ୍ର ଧାଡି କରାଯିବା ସହ ସୁଉଚ୍ଚ ରାମ୍ପର ପ୍ରସ୍ତାବ ରହିଛି  । ଦର୍ଶନ ବ୍ୟବସ୍ଥା ଦ୍ବାରା ମହାପ୍ରଭୁଙ୍କ ସେବାପୂଜା ଯେପରି କୌଣସି ଭାବେ ପ୍ରଭାବିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।

You might also like