ଠିକାଦାରର ମନମାନି ଯୋଗୁଁ ଦୁର୍ଦ୍ଦଶା ଭୋଗିଲେ ଚାଷୀ, ସୁନାମୀ ନଦୀବନ୍ଧ ଭାଙ୍ଗି ଲୁଣାପାଣି ପଶିଲା ଶହ ଶହ ଏକର ଜମିରେ

କାକଟପୁର (କେନ୍ୟୁଜ୍‌) : ଦୀର୍ଘ ଚାରିବର୍ଷ କାଳ ସୁନାମୀ ନଦୀବନ୍ଧ କାମ ସାରି ପାରିଲେ ନାହିଁ ଠିକାଦାର । ଯାହା ଫଳରେ ଆଜି ପୂର୍ଣ୍ଣିମା ତିଥିରେ ଲୁଣା ଜୁଆର ପାଣି ଦୁର୍ବଳ ନଦୀବନ୍ଧକୁ ଭାଙ୍ଗି ଚାଷ ଜମିରେ ପ୍ରବେଶ କରିଛି । ଆଉ ଶହ ଶହ ଏକର ଚାଷ ଜମିରେ ମାଡି ଯାଇଛିି ଲୁଣାପାଣି। ସେହି ଚିନ୍ତାରେ ଘାରି ହେଉଛନ୍ତି ଅସ୍ତରଙ୍ଗ ଅଞ୍ଚଳର ଚାଷୀ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀର ଶାଖା ନଦୀ ଭଉଁରିଆ ନଈର ବନ୍ଧ ଭାଙ୍ଗି ଚାଷ ଜମିକୁ ଲୁଣାଜଳ ପ୍ରବେଶ କରୁଛି । କାକଟପୁର ଜଳସେଚନ ବିଭାଗ ଅଧୀନରେ ରହିଥିବା ଏହି ନଦୀର ସୁନାମୀ ନଦୀବନ୍ଧ ନିର୍ମାଣ କରିବା ପାଇଁ ଟେଣ୍ଡର ଜରିଆରେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା କିନ୍ତୁ ଠିକାଦାର ଚାରି ବର୍ଷ ଭିତରେ ସୁନାମୀ ନଦୀବନ୍ଧର କାମ ସାରି ପାରିଲେ ନାହିଁ । ଆଉ ଏତିକି ବେଳକୁ ବାରମ୍ବାର ଲଘୁଚାପ ବର୍ଷା ଓ ପୂର୍ଣ୍ଣିମା ଜୁଆର ପାଣି ଦୁର୍ବଳ ବନ୍ଧରେ କେଁଠି ଘାଇ ସୃଷ୍ଟି କରିଛି ତ କେଉଁଠି ବନ୍ଧ ଡେଇଁଛି । ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଭଉଁରିଆ ନଦୀର ଉତ୍ତର ପାର୍ଶ୍ୱ ବନ୍ଧର ବେଗୁନିଆବସ୍ତ ଗାଁ ଠାରୁ ପୁଇଁଚାନ୍ଦିଆ ଗାଁ ପର୍ଯ୍ଯନ୍ତ ରହିଛି । ନଦୀବନ୍ଧର ପ୍ରାୟ ତିନିଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନରେ ବନ୍ଧ ବୁଡି ଲୁଣାଜଳ ଚାଷଜମି ଭିତରକୁ ପ୍ରବେଶ କରୁଛି । ତେବେ ଏ ଖବର ଜଳସେଚନ ବିଭାଗ ପାଖରେ ନଥିଲା ।

KAKATAPUR-3

ବର୍ତ୍ତମାନ ଚାଷୀ ନିଜ ଚାଷଜମିରେ ତଳି ପକାଇବା ସହ ଅନେକ ଚାଷୀ ଧାନ ବୁଣି ସାରିଛନ୍ତି । ଆଉ କେତେକ ଚାଷୀ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଛନ୍ତି । ଏବେ ଏହି ଲୁଣାପାଣି ପନିପରିବା ଚାଷ ଆଦିକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି । ଗତ ଲଘୁଚାପ ବର୍ଷାରେ ଅସ୍ତରଙ୍ଗ ଅଞ୍ଚଳରେ ଧାନଫସଲ ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଥିବା ବେଳେ ଚାଷୀମାନେ ଚଳିତ ଖରିଫ ଧାନଚାଷ କରି କିଛି ଅମଳ କରିବାର ଆଶା ରଖିଥିଲେ । ହେଲେ ଏବେ ସେମାନଙ୍କ ସବୁ ଆଶାରେ ଲୁଣିପାଣି ମାଡିଯାଇଛି ।

ଜଳସେଚନ ବିଭାଗର ବେଫିକର ନୀତି ଏବଂ ଠିକାଦାରର ମନମାନି ଯୋଗୁଁ ଶହ ଶହ ଚାଷୀ ସର୍ବସ୍ୱାନ୍ତ ହେବାକୁ ବସିଛନ୍ତି । ରାଜ୍ଯ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

 

Leave A Reply

Your email address will not be published.