ନଦୀ ବନ୍ଧ ଫାଟି ଆଁ କରୁଛି, ଚିନ୍ତାରେ ଶହ ଶହ ଲୋକେ
ନଦୀ କୁଳିଆ ଲୋକମାନଙ୍କର ଧନ ଜୀବନର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ସ୍ଥାନରେ ନଦୀ ବନ୍ଧର ମରାମତି କାର୍ଯ୍ୟ କରାଯାଉଛି । କିନ୍ତୁ କେତେକ ସ୍ଥାନରେ ଆବଶ୍ୟକୀୟ ମାଷ୍ଟର ପ୍ଲାନ କରାନଯାଇ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲେ ବି ନଦୀ କୁଳିଆ ଲୋକଙ୍କ ଜୀବନ ଜୀବିକାକୁ ସୁରକ୍ଷା ଦିଆଯାଇ ପାରୁନାହିଁ । ସମାନ ଭାବେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ଗେଙ୍ଗୁଟି ନଦୀର ରାମେଶ୍ଵର ମଳିକ ସାହି ଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଏଠାରେ ପ୍ରତିବର୍ଷ ବନ୍ୟା ପୂର୍ବରୁ କିମ୍ବା ବନ୍ୟା ପରେ ନଦୀ ବନ୍ଧ ଭୁଶୁଡି ପଡୁଛି । ଏପରିକି ବନ୍ୟା ପରେ ପରେ ନଦୀ ବନ୍ଧରେ ୩୦୦ ରୁ ୪୦୦ ଫୁଟ ଧସି ଯାଉଛି ତ କେତବେଳେ ନଦୀ ବନ୍ଧ ଫାଟି ଆଁ କରୁଛି । ଫଳରେ ଲୋକମାନେ ଭୟଭୀତ ହୋଇ ପଡୁଛନ୍ତି । ଏଠାରେ ଏହି ନଦୀ ବନ୍ଧକୁ ମରାମତି ପାଇଁ ପ୍ରତି ବର୍ଷ ଯାଜପୁର ଜଳ ସେଚନ ଡିଭିଜନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଉଛି ସତ । କିନ୍ତୁ ଫଳ କିଛି ନାହିଁ । କାର୍ଯ୍ୟ ନିମ୍ନ ମାନରେ ହେଉଛି ଓ ନଦୀ ବନ୍ଧ ଭୁଶୁଡି ପଡୁଛି । ବିଗତ ୧୦ ବର୍ଷ ମଧ୍ୟରେ ଏଠାରେ ୧୨ ଥର ନନ୍ଦୀ ବନ୍ଧ ଧସି ଗଲାଣି । ଏପରିକି ଜଳ ସେଚନ ବିଭାଗ ପକ୍ଷରୁ ଏଠାରେ ନନ୍ଦୀ ବନ୍ଧକୁ ମରାମତି କରିବା ପାଇଁ ଇତି ମଧ୍ୟରେ ପ୍ରାୟ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ତଥାପି ନଦୀ ବନ୍ଧ କୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷା ଦିଆଯାଇ ପାରୁନାହିଁ । ଏବେ ନଦୀ ବନ୍ଧରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ତେଣୁ ନଦୀ କୂଳରେ ଥିବା ପ୍ରାୟ ୧୦୦ ରୁ ଅଧିକ ପରିବାର ଆତଙ୍କିତ ହୋଇ ପଡିଛନ୍ତି । କେତେବେଳେ ଯେ ସେମାନଙ୍କ ଘର ଦ୍ୱାର ନଦୀ ଗର୍ଭରେ ଲୀନ ହୋଇ ଯିବ ସେ କଥାକୁ ଏଡେଇ ଦେଇ ହେବନାହିଁ । ଯଦିଓ ବନ୍ୟାର ଭୟ ଏବେ ନାହିଁ ତଥାପି ବନ୍ଧରେ ସୃଷ୍ଟି ହୋଇଥିବା ଫାଟ ଲୋକଙ୍କୁ ଅଧିକ ଭୟଭୀତ କରିଛି । ତେଣୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀମାନେ ବାରମ୍ବାର ଦାବି କରିଛନ୍ତି ।
ସେହିପରି ଭାବେ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣି ଭଦ୍ରକ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ବାସ୍ତବ ସ୍ଥିତି ଦେଖିବା ସହିତ ଗ୍ରାମବାସୀଙ୍କ ସହିତ ଏ ବିଷୟରେ ଆଲୋଚନା କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ସହିତ ସ୍ଥାନୀୟ ତହସିଲଦାର ଓ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ ମଧ୍ୟ ଯାଇଥିଲେ । ନଦୀ ବନ୍ଧର ବିରାଟ ଫାଟ ସୃଷ୍ଟି ହୋଇଥିବା ଦେଖି ଜିଲ୍ଲାପାଳ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ସହିତ ଏହାର ସ୍ଥାୟୀ ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି କରିବାକୁ କହିଥିଲେ । ତେବେ ଜିଲ୍ଲାପାଳ ଗ୍ରାମବାସୀଙ୍କୁ ଏଥର ଆଶ୍ୱାସନା ଦେବା ସହିତ ନିଶ୍ଚିତ ଏହାର ସ୍ଥାୟୀ ପ୍ରତିକାର କରାଯିବ ବୋଲି କହିଛନ୍ତି ।
ଏହି ନଦୀ ବନ୍ଧରେ ଏଥର ସ୍ଥାୟୀ ସମାଧାନ ଦିଗରେ ଯେଭଳି ପଦକ୍ଷେପ ନିଆଯିବ ସେଥିପାଇଁ ଉଭୟ ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ତ୍ବରିତ ପଦକ୍ଷେପ ନେଉ ବୋଲି ସାଧାରଣରେ ଦାବି ହେଉଛି ।