ସ୍କୁଟିରେ ସାଥି ହୋଇ ଘରୁ ବାହାରିଥିଲେ ଦମ୍ପତି, କିନ୍ତୁ ଅଧାରେ ରାସ୍ତା ହୋଇଗଲା ଅଲଗା

ସ୍ୱାମୀ ଗ୍ରହଣ କରିପାରୁନି ସ୍ତ୍ରୀର ମୃତ୍ୟୁକୁ । ସେଥିପାଇଁ ତ ମୃତ ସ୍ତ୍ରୀକୁ ଧରି ବାହୁନି ବାହୁନି କାନ୍ଦୁଛି ସ୍ୱାମୀ । ମନେ ମନେ କହୁଛନ୍ତି ହେ ଭଗବାନ ଏ ସବୁ କଣ ହେଇଗଲା । ଯଦି ଏମିତି କରିବାର ଥିଲା ମୋତେ ନେଇଗଲନି ମୋ ସ୍ତ୍ରୀକୁ କାହିଁକି ନେଇଗଲ ।

କଟକ (କେନ୍ୟୁଜ) : ଏଇ ତମକୁ କହିଦଉଛି, ମୁଁ ଯେତେବେଳେ ମରିବି ନା, ତୁମ କୋଳରେ ମୁଣ୍ଡ ରଖି ମରିବି । ମୁଁ ଯେବେଠୁ ସିନ୍ଦୁର ପିନ୍ଧିଛି,ସେବେଠୁ ଚାହିଁଛି ତୁମ ନାଁରେ ପିନ୍ଧିଥିବା ଏ ସିନ୍ଦୁର ମରିବା ପର୍ଯ୍ୟନ୍ତ ମୋ ମୁଣ୍ଡରେ ଏମିତି ଦାଉ ଦାଉ ହୋଇ ଦିଶୁଥାଉ । ତୁମେ ଯେବେଠୁ ମୋ ମଥାରେ ସିନ୍ଦୁର ଦେଇଛ ସେବେଠୁ ଅଇସୁଲକ୍ଷଣୀ ହୋଇ ମରିବି ବୋଲି ଭଗବାନଙ୍କୁ ମୁଣ୍ଡିଆ ମାରେ । ଭଗବାନଙ୍କୁ ପ୍ରଣାମ କଲା ବେଳେ କୁହେ ଠାକୁରେ ମୁଁ ଯେତେବଳେ ମରିବି ନା ମୋ ମୁଣ୍ଡରେ ଝଲସୁଥିବା ଏ ସିନ୍ଦୁର ଠିକ ସେମିତି ଥାଉ । ଆଉ ଯଦି ମୋ ସ୍ୱାମୀ କୋଳରେ ମରିବି ତାହେଲେ ତ ସେଇଟା ମୋ ସୌଭାଗ୍ୟ । ଆଉ ଦେଖ ଆଜି ସତସତିକା ସେମିତି ହିଁ ହୋଇଛି । ତୁମ କୋଳରେ ଆଜି ମୁଁ ଶୋଇଛି, ମୋ ଅଇସୁଲକ୍ଷଣୀ ହୋଇ ମରିବାର ଇଚ୍ଛା ପୂରଣ ହୋଇଛି । କୁହନ୍ତି ଅଇସୁଲକ୍ଷଣୀ ହୋଇ ମଲେ କୁଆଡେ ବୈକୁଣ୍ଠ ପ୍ରାପ୍ତି ହୁଏ, ଆଉ ମୋର ତ ଏତେ ଭାଗ୍ୟ ତୁମ କୋଳରେ ମୋ ଜୀବନ ଚାଲିଗଲା ।

ସ୍ୱାମୀକୁ ଭୋ ଭୋ ହୋଇ କାନ୍ଦୁଥିବାର ଦେଖି ଉପରେ ଥାଇ ସ୍ତ୍ରୀ ଏମିତି କହୁଛି । ସ୍ୱାମୀ କିନ୍ତୁ ଗ୍ରହଣ କରିପାରୁନି ସ୍ତ୍ରୀର ମୃତ୍ୟୁକୁ । ସେଥିପାଇଁ ତ ମୃତ ସ୍ତ୍ରୀକୁ ଧରି ବାହୁନି ବାହୁନି କାନ୍ଦୁଛି ସ୍ୱାମୀ । ମନେ ମନେ କହୁଛନ୍ତି ହେ ଭଗବାନ ଏ ସବୁ କଣ ହେଇଗଲା । ଯଦି ଏମିତି କରିବାର ଥିଲା ମୋତେ ନେଇଗଲନି ମୋ ସ୍ତ୍ରୀକୁ କାହିଁକି ନେଇଗଲ ।

ହଁ ଏ ଦୃଶ୍ୟ ଆଜି ସମସ୍ତଙ୍କ ମନକୁ ଭାରି ବିଚଳିତ କରିଛି । ଏହାକୁ ଯିଏ ଦେଖୁଥିଲା ତାଙ୍କର ଛାତି ବିଦାରି ଯାଉଥିଲା । ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଲୋମମୂଳ ଟାଙ୍କୁରୀ ଉଠୁଥିଲା । ସ୍ୱାମୀ ଆଗରେ ସ୍ତ୍ରୀର ପ୍ରାଣ ନିମିଶକରେ ଚାଲିଗଲା । ମଝି ରାସ୍ତାରେ ସ୍ତ୍ରୀକୁ ଏମିତି କୋଳରେ ଶୁଆଇ କାନ୍ଦି ଚାଲିଥିଲେ ସ୍ୱାମୀ । ସ୍ତ୍ରୀର ମୃତଦେହକୁ ଦେଖି ଏ ସ୍ୱାମୀ ନିଜକୁ ସମ୍ଭାଳି ପାରିଲେନି । ସ୍ୱାମୀ ଆଗରେ ଏମିତି ସ୍ତ୍ରୀର ଅବସ୍ଥା ଦେଖି ମୁଣ୍ଡ କାମ କରୁନଥିଲା ସ୍ୱାମୀ ।ମନେ ମନେ ଭାବୁଛନ୍ତି କାହିଁକି ଆଜି ମୁଁ ଘରୁ ବାହାରିଲି । ବୋଧହୁଏ ଘରୁ ଆସିନଥିଲେ ଏମିତି ହେଇନଥାନ୍ତା । ଆଖି ସାମ୍ନାରେ ସ୍ତ୍ରୀକୁ ମରିଶୋଇଥିବାର ଦେଖି ସ୍ୱାମୀ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛନ୍ତି ଆଉ କହୁଛନ୍ତି ହେ ଭଗବାନ ମୋତେ ଏତେ ବଡ ଦୁଃଖ କାହିଁକି ଦେଲ । ମୋ ଆଖି ଆଗରେ ମୋ ସ୍ତ୍ରୀକୁ ତ ନେଇଗଲ ଏବେ ମୋତେ ବି ନେଇଯାଅ ।

ଆଜି ସକାଳୁ କେତେ ହସଖୁସିରେ ଘରୁ ବାହାରିଥିଲେ ଦମ୍ପତି । ସ୍କୁଟିରେ ସ୍ତ୍ରୀକୁ ପଛରେ ବସାଇ କଟକ ଆସୁଥିଲେ ସ୍ୱାମୀ । କିନ୍ତୁ କଟକ ଚାଉଳିଆଗଞ୍ଜ୍‌ ଦୁର୍ଗାମଣ୍ଡପ ନିକଟରେ ଜଗି ବସିଥିଲା ମୃତ୍ୟୁ । ଯମ ରୂପରେ ଏକ ଟ୍ରକ ପଛପଟୁ ଆସି ଦମ୍ପତିଙ୍କୁ ଧକ୍କା ଦେଇ ଚାଲିଗଲା । ଯାହାଫଳରେ ସ୍ୱାମୀ ସ୍ତ୍ରୀ ଉଭୟ ଛିଟିକି ପଡିଥିଲେ ରାସ୍ତାରେ । କିନ୍ତୁ ଦୁଃଖର ବିଷୟ ଯେ ସ୍ୱାମୀ ରାସ୍ତା କଡ଼କୁ ପଡିଥିବାବେଳେ ସ୍ତ୍ରୀର ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ । ଆଉ ଆଖି ପିଛୁଳାକେ ସ୍ତ୍ରୀର ଅବସ୍ଥା ଏମିତି ହୋଇଗଲା ଯେ ସ୍ତ୍ରୀକୁ ଦେଖି ଚିହ୍ନି ପାରିଲେନି ସ୍ୱାମୀ । ଟ୍ରକ ଚକା ତଳେ ଜୀବନ ଚାଲିଗଲା ସ୍ତ୍ରୀର । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଉ ସେଇଠି ପଡିରହିଛି ସ୍ୱାମୀ ସ୍ତ୍ରୀ ଆସିଥିବା ତାଙ୍କର ସେହି ସ୍କୁଟିଟି ।

You might also like