ଶବ ଦାହ ସାରି ଫେରୁଥିବା ବେଳେ ବାଟରେ ନିଜେ ହୋଇଗଲେ ଶବ, ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ପିପିଲି (କେନ୍ୟୁଜ): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ ପଛରେ ପିଟି ହୋଇ ଚାଲିଗଲା ୨ ଜଣଙ୍କ ଜୀବନ। ଶବ ଦାହ ସାରି ଫେରୁଥିବା ବେଳେ ବାଟରେ ନିଜେ ଶବ ହୋଇଗଲେ। ସାକ୍ଷୀଗୋପାଳ ଥାନା ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଠିଆ ହୋଇଥିଲା। ପୁରୀରୁ ଅନ୍ତିମ ସଂସ୍କାର ସାରି ମୋଟର ସାଇକେଲ ଯୋଗେ ତିନି ଜଣ ଫେରୁଥିବା ବେଳେ ଟ୍ରକରେ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଚାଳକ ଅନ୍ୟମନସ୍କ ହେବାରୁ ବାଇକ୍‌ଟି ଟ୍ରକ ପଛରେ ପିଟି ହୋଇଯାଇଥିଲା। ଫଳରେ ସମସ୍ତେ ରାଜରାସ୍ତାକୁ ଛିଟିକି ପଡ଼ିଥିଲେ। ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷିତ କରିଥିଲେ। ମୃତକ ହେଲେ ସାକ୍ଷୀଗୋପାଳ ହୋତା ସାହିର ସୂର୍ଯ୍ଯକାନ୍ତ ସାହୁ ଏବଂ ପୁରୀରେ କାର୍ଯ୍ଯରତ ମହିଳା କନେଷ୍ଟବଳ ସୁଷମା ମିଶ୍ର। ଅନ୍ଯ ଜଣେ ଗୁରୁତରଙ୍କୁ କ୍ଯାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।