ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ, କେବେ ସୁଧୁରିବ ସ୍ଥିତି ?

ଉମରକୋଟ: ଚଳିତ ବର୍ଷର ଲଗାଣ ବର୍ଷାରେ ଉମରକୋଟ ବ୍ଲକ ବଡ଼ କୁମାରୀ ପଞ୍ଚାୟତର ତିନିଖଣ୍ଡ ଗାଁ ଲୋକେ ପକ୍କା ସଡ଼କ ଭଳି ମୌଳିକ ସୁବିଧାରୁ ବଞ୍ଚିତ । ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡେ ପାଇ ନଥିବା ଯୋଗୁଁ ମାଟି ରାସ୍ତା ଉପରେ ହିଁ ଭରସା କରି ବସବାସ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନରେ ଜଡ଼ାବନ୍ଧ,ଭାଲୁସାହି, ବାଲିଆବେଡା ଗାଁ କୁ ଆମ୍ବୁଲାନ୍ସ ଭଳି ଗାଡି ମଧ୍ୟ ଆସିପାରୁ ନାହିଁ ଏବଂ ଗାଁ ଠାରୁ ତିନି କିଲୋମିଟର ଦୂରରେ ଥିବା ଯାନୀଗୁଡା ଯାଏଁ ହିଁ ଗାଡି ଆସିପାରୁଛି ଫଳରେ ଗାଁର ପ୍ରାୟ ୨୦୦୦ ରୁ ଉର୍ଦ୍ଧ ଲୋକେ ନାହିଁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ତେଣୁ ଲୋକେ ରୋଗୀଙ୍କୁ ନେବା ଆଣିବା କରିବା ମଧ୍ୟ କଷ୍ଟ ସାଧ୍ୟ ହୋଇ ପଡିଛି । ଗାଁ ଲୋକେ ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଅନ୍ୟପଟେ ଲଗାଣ ବର୍ଷା ହେଲେ ତିନି ଖଣ୍ଡ ଗାଁ ପିଲାଙ୍କ ପାଠ ପଢା ବନ୍ଦ ରହୁଛି, ରାସ୍ତା ଖରାପ ଯୋଗୁଁ ସ୍କୁଲକୁ ଶିକ୍ଷକ ଆସିପାରୁନାହାନ୍ତି । ଗ୍ରାମବାସୀ ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । ଘଟଣାକୁ ନେଇ ଉମରକୋଟ ବିଡିଓ ପ୍ରୀତି ରଞ୍ଜନ ରଥଙ୍କୁ ପଚାରିବାରୁ ଲୋକଙ୍କ ସମସ୍ୟା ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି ।