ବର୍ଷାରେ ଧୋଇଯାଉଛି ବନବିଭାଗ ରାସ୍ତା , ହିନସ୍ଥା ହେଉଛନ୍ତି ଜନସାଧାରଣ

ଦଶପଲ୍ଲା: ପ୍ରତିବର୍ଷ ରାସ୍ତା ମରାମତି କରୁଛି ବନବିଭାଗ । ରାସ୍ତା ମରାମତି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଫଳ ଶୂନ । ବର୍ଷାଦିନ ଆସିଲେ ଦୁର୍ଦ୍ଦଶା ଭୋଗୁଛନ୍ତି ୩ ଟି ପଞ୍ଚାୟତର ୪୦ ରୁ ଉର୍ଦ୍ଧ୍ବ ଗାଁର ଗାଁ ଲୋକେ । ରାସ୍ତା ଧୋଇଯିବାରୁ ବଣଜଙ୍ଗଲ ଘେରା ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନ ହୋଇଥିବାରୁ ଦଶପଲ୍ଲା ବ୍ଲକ ଘୁଗୁଡ଼ିପଡ଼ା ଓ ଟାକରା ପଞ୍ଚାୟତକୁ ସଂଯୋଗ କରୁଥିବା ବାଇଶିପଲ୍ଲି ଅଭୟାରଣ୍ୟର ଟାକରା – ବଡ଼ଶିଲିଙ୍ଗା ରାସ୍ତାର ପ୍ରାୟ ୮ କିଲୋମିଟର ରାସ୍ତାର ଦୟନୀୟ ଅବସ୍ଥା ହୋଇଛି ।
ସୂଚନା ମୁତାବକ ଏହି ରାସ୍ତା ଉପରେ ଟାକରା,ବଡ଼ସିଲିଙ୍ଗା ଏବଂ ଘୁଗୁଡ଼ିପଡ଼ା ପଞ୍ଚାୟତର ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଗାଁର ଲୋକେ ନିର୍ଭରଶୀଳ । ଟାକରାଠାରୁ ବାଇଶିପଲ୍ଲି ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର ରାସ୍ତା ଉପରେ ଦୈନିକ ଅଞ୍ଚଳବାସୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ବଜାରଘାଟ ଯାଆନ୍ତି । ଛାତ୍ରଛାତ୍ରୀମାନେ ପାଠପଢ଼ିବା ପାଇଁ ବିଦ୍ୟାଳୟକୁ ଯାଆନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ବନ୍ୟଜନ୍ତୁଙ୍କ ଭୟ ରହିଛି । ଏହି ରାସ୍ତାଟି ଅଭୟାରଣ୍ୟ ମଧ୍ୟରେ ରହିଥିବାରୁ ରାସ୍ତାର ନିର୍ମାଣ ପ୍ରତି କେହି ଦାୟିତ୍ୱ ନେଉ ନାହାନ୍ତି । ଏହି ରାସ୍ତାଟି ବନବିଭାଗ ଅଧିନରେ ଥିବାରୁ ବନବିଭାଗ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ଅନୁସାରେ ଏହି ଶୋଚନୀୟ ରାସ୍ତା ଉପରେ ଟିକେ ସୁଧାର ଆଣିବା ପାଇଁ ପୂର୍ବରୁ ବାରମ୍ବାର ଦାବି ଉଠାଇଛନ୍ତି ସ୍ଥାନୀୟ ଲୋକେ । ଯେମିତିକି ୨୦୧୧ ମସିହାରେ ଟାକରା ଠାରେ ଏଠାକାର ଅଧିବାସୀଗଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ । ପ୍ରଶାସନ ଉକ୍ତ ଅବରୋଧ ସ୍ଥାନରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା । କିନ୍ତୁ ଲୋକଙ୍କ କହିବା ମୁତାବକ ଅବରୋଧକୁ ଦୀର୍ଘ ୧୩ ବର୍ଷ ବିତିଯାଇଥିଲେ ବି ରାସ୍ତାର ଅବସ୍ଥାରେ କୌଣସି ସୁଧାର ଆସିପାରିଲା ନାହିଁ । ତେଣୁ ଅଞ୍ଚଳବାସି ଉକ୍ତ ରାସ୍ତା କୁ ସବୁଦିନିଆ ରାସ୍ତା ରେ ପରିଣତ କରିବା ପାଇଁ ଦାବି କରିଛନ୍ତି ।
ସୂଚନା ଅନୁସାରେ ଗତବର୍ଷ ଅର୍ଥାତ୍ ୨୦୨୨ – ୨୩ ଆର୍ଥିକ ବର୍ଷରେ ୫ଲକ୍ଷ ୫୨ ହଜାର ଟଙ୍କା ବ୍ୟୟରେ ଟାକରା ପଞ୍ଚାୟତ ଚିଲିପଥର ଠାରୁ ଘୁଗୁଡ଼ିପଡ଼ା ପଞ୍ଚାୟତର ବଡ଼ସିଲିଙ୍ଗାର ୮ କିଲୋମିଟର ଜଙ୍ଗଲ ରାସ୍ତାର ମରାମତି ନିମନ୍ତେ ଖର୍ଚ୍ଚ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟେ ରାସ୍ତାର ଅବସ୍ଥା ” ଯଥାପୂର୍ବମ୍, ତଥା ପରମ ” ଅବସ୍ଥାରେ ପଡ଼ିରହିଛି । ଏହି ରାସ୍ତାର ମରାମତି କାର୍ଯ୍ୟ ଜନସାଧାରଣଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ହୋଇପଡ଼ିଥିବା ବେଳେ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା କହିଛନ୍ତି ସ୍ଥାନୀୟ ଲୋକେ । ଯଦି ପ୍ରଶାସନ ଏହି ରାସ୍ତା ଉପରେ କୌଣସି ଦୃଷ୍ଟି ନ ଦିଏ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି । ତେବେ ବାକି ରହିଲା କେବେ ଏ ଦୁର୍ଦ୍ଦଶା ଦୂର ହେଉଛି ।