ଗାଁକୁ ରାସ୍ତା ନଥିବାରୁ ପିଲାଙ୍କ ପାଠ ପଢା ଠପ୍, ଗୁଣିଆ ସାଜିଛନ୍ତି ଡାକ୍ତର

ଗାଁର ବିକାଶ କଥା କହିଲେ ସାଧାରଣଃ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନକୁ ବୁଝାଏ କିନ୍ତୁ ଏହା କେତେ ଦୂର ସତ । ସତରେ କ’ଣ ଲୋକେ ନିଜର ମୌଳିକ ଅଧିକାର ପାଇଛନ୍ତି । ଏଇ କିଛି ଦିନ ପୂର୍ବେ ଦେଶ ପାଳିଲା ୭୮ ତମ ସ୍ୱାଧୀନତା ଦିବସ । କିନ୍ତୁ ଆଜିବି ଗାଁ କୁ ରାସ୍ତା ଖଣ୍ଡିଏ ହୋଇ ପାରିଲା ନାହିଁ । ପ୍ରଶାସନକୁ ଗୁହାରି କଲେ ମଧ୍ୟ କିଛି ଫଳ ମିଳୁ ନାହିଁ । ଗାଁକୁ ରାସ୍ତା ନଥିବାରୁ ପିଲାଙ୍କ ପାଠ ପଢା ଠପ୍ ଆଉ ଗୁଣିଆ ସାଜିଛନ୍ତି ଡାକ୍ତର । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଚିକେନପୁଟ ପଞ୍ଚାୟତ ଡୁମୁରିଗୁଡା ଗ୍ରାମରେ ।

ଘଞ୍ଚ ଜଙ୍ଗଲ ମଧ୍ୟରେ ଗାଁ ଟିଏ । ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାରୁ ଦୁଇ କିଲୋମିଟର ଗଲେ ଏହି ଗାଁ ଡୁମୁରିଗୁଡା । ଗାଁ ରେ ପ୍ରାୟ ୪୦ ପରିବାର ବସବାସ କରନ୍ତି ସମସ୍ତେ କୁଇ ସମ୍ପ୍ରଦାୟର । ସନ୍ଧ୍ୟା ହେଲେ ତାଟି କବାଟ ପଡ଼ିଯାଏ ବନ୍ୟ ଜନ୍ତୁଙ୍କ ଭୟରେ । ଅଚିହ୍ନା ଲୋକଙ୍କୁ ଦେଖିଲେ ଭୟ କରନ୍ତି ଗାଁ ଲୋକେ । ଗାଁକୁ ଯିବା ପାଇଁ ହେଲେ ଦୀର୍ଘ ଦୁଇ କିଲୋମିଟର ଚାଲିକି ଯିବା ପାଇଁ ପଡିବ ତାହାବି ପୁଣି ଘଞ୍ଚ ଜଙ୍ଗଲ ମଧ୍ୟରେ । ଗାଁକୁ ଯିବା ପାଇଁ ହେଲେ ପ୍ରଥମେ ୫୦ ମିଟର ଚାଷ ଜମି ଭିତର ଦେଇ ଯିବାକୁ ପଡ଼େ ଯେଉଁଠି ବର୍ଷା ଦିନେ ତିନିରୁ ଚାରି ଫୁଟ ପର୍ଯ୍ୟନ୍ତ ପାଣି ଜମିଥାଏ ।

ଜମିର ଫୁଟେ ଦୂରରେ ବଡ଼ ଖାଇଟିଏ ରହିଛି । ଟିକିଏ ଅସାବଧାନତା ହେଲେ ଖାଇ ଭିତରକୁ ଖସି ପଡ଼ିବାର ଭୟ ରହିଛି । ତାପରେ ଜଙ୍ଗଲ ରାସ୍ତା ଆରମ୍ଭ ଯେଉଁଠାରେ ବନ୍ୟ ଜନ୍ତୁ ଏବଂ ସରୀସୃପର ଭୟ । ଗାଁରେ ରାସ୍ତା ନ ଥିବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଁ ଆମ୍ବୁଲାନ୍ସ ଆସିପାରୁନାହିଁ, ପିଲାମାନେ ସ୍କୁଲ ଯାଇପାରୁନାହାନ୍ତି । ରୋଗୀ ଡାକ୍ତରଖାନା ଯାଇପାରୁନାହାନ୍ତି ଫଳରେ ଲୋକେ ଗୁଣିଆକୁ ଡାକ୍ତର କରିଛନ୍ତି । ଏମିତି କି ବେଳେ ବେଳେ ଡାକ୍ତରଖାନା ଯାଇ ନ ପାରି ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଘର ତିଆରି ସାମଗ୍ରୀ ଆଣିବାପାଇଁ ବହୁତ ଟଙ୍କା ଖର୍ଚ୍ଚ ହେଉଛି ।

କହିବାକୁ ଗଲେ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ ବ୍ୟବସ୍ଥା ସମ୍ପୂର୍ଣ ଠପ୍ ହୋଇଯାଇଛି । ନିର୍ବାଚନ ଆସିଲେ ବହୁ ନେତା ଆସନ୍ତି ପ୍ରତିଶ୍ରୁତି ବି ଦିଅନ୍ତି କିନ୍ତୁ ନିର୍ବାଚନ ସରିଲା ପରେ ସମସ୍ତେ ଭୂଲି ଯାଆନ୍ତି ତେଣୁ ଏବେ ରାସ୍ତା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ । ଏପଟେ ଲମତାପୁଟ ବିଡ଼ିଓ କହିଛନ୍ତି କି ଏହା ମୋ ଅବଗତରେ ଅଛି ମୋ ଟେକ୍ନିକାଲ ଟିମ୍ ସହିତ ଭିଜିଟ୍ ମଧ୍ୟ କରିଛି,ଏଥି ପାଇଁ ଆମ ପାଖେ ଅନୁଦାନ ଅର୍ଥ ରାଶି ମଧ୍ୟ ଅଛି । କିନ୍ତୁ ବର୍ଷା ଯୋଗୁଁ ଆମେ କିଛି କରିପାରୁନୁ । ବର୍ଷା ଋତୁ ପରେ ଏହାର ସମାଧାନ ଖୁବ ଶୀଘ୍ର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.