ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, କିନ୍ତୁ ଗ୍ରାମବାସୀଙ୍କ ହାବୁଡ଼ରୁ ଖସି ପାରିଲେନି

ଫାଇନାନ୍ସ କର୍ମଚାରୀ ଆସିଥିଲେ ଋଣ କିସ୍ତି ଟଙ୍କା ନେବାପାଇଁ । ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଠାରୁ ଟଙ୍କା ନେଲେ, ହେଲେ କର୍ମଚାରୀଙ୍କ ଠାରୁ ନେଇଥିବା  ସବୁତକ ଟଙ୍କାକୁ ଛଡ଼ାଇନେଲେ ଦୁର୍ବୃତ୍ତ । ଏବେ ହସ୍ପିଟାଲରେ ଅଛନ୍ତି କର୍ମଚାରୀ । ସେପଟେ ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇଛନ୍ତି ଗାଁ ଲୋକେ ।

ତେବେ ଏଭଳି ଏକ ଡକାୟତି ଘଟଣା ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ପଞ୍ଚାୟତର ନବଲିଙ୍ଗା ଗାଁରେ ଘଟିଯାଇଛି । ସୂଚନାରୁ ଜଣାପଡିଛି ଫାଇନାନ୍ସ କର୍ମଚାରୀ ବିକାଶ ନାମକ ଜଣେ ଯୁବକ ଆଜି ନବଲିଙ୍ଗା ଗାଁରୁ ଗୋଟିଏ ସ୍ଵୟଂ ସହାୟକ ଗୋଷ୍ଠୀ ଠାରୁ ୧୫୦୦୦(ପନ୍ଦରହଜାର) ଟଙ୍କା ଏବଂ ପାଖରେ ଥିବା ଅନ୍ୟାନ୍ୟ ଗାଁରୁ ଆଉ କିଛି ଟଙ୍କା ଆଦାୟ କରି କାର୍ଯ୍ୟାଳୟକୁ ଫେରୁଥିଲେ । ଗାଁର ଶେଷ ମୁଣ୍ଡରେ ଛକି ବସିଥିଲେ ଅଭିଯୁକ୍ତ ଭାଲୁଆ ସାମଲ ଏବଂ ଜଣେ ସହଯୋଗୀ । ଦୁର୍ବୃତ୍ତ ଦୁଇ ଜଣ କର୍ମଚାରୀ ବିକାଶଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଛଡ଼ାଇନେଲେ ଆଦାୟ କରିଥିବା ଟଙ୍କା ।

ଏସବୁ ଘଟଣାକୁ ଲକ୍ଷ୍ୟ କରିଥିଲେ ଜଣେ ଗ୍ରାମବାସୀ । ଘଟଣା ବିଷୟରେ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁରୁ ଆସୁଥିବା ଲୋକଙ୍କୁ ଦେଖି  ଜଣେ ଚୋର ଖସିଯାଇଥିବା ବେଳେ ଭାଲୁଆ କୁ କାବୁ କରାଯାଇଥିଲା । ଭାଲୁଆକୁ ଗାଁ ଲୋକେ ଅଟକ ରଖି ଗଁନ୍ଦିଆ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁବୃର୍ତ୍ତକୁ ଗିରଫ କରିଥିଲା । ତେବେ ଫାଇନାନ୍ସ କର୍ମଚାରୀ  ବିକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଗାଁରେ ହୋଇଥିବା ଏଭଳି ଚୋରି ଘଟଣାକୁ ନେଇ ସମସ୍ତଙ୍କ ମନରେ ଭୟ । ଏ ଦୁର୍ବୃତ୍ତକୁ କାବୁ କରିଥିଲେ ମଧ୍ୟ ଅନ୍ୟ ଜଣେ ଖସି ପଳାଇଛି । ତୁରନ୍ତ ତାକୁ ଧରାଯାଉ ତାହା ହିଁ ଦାବି ରଖିଛନ୍ତି ଗାଁ ଲୋକେ । ନଚେତ ଏ ଦୁର୍ବୃତ୍ତଙ୍କ ପ୍ରାଦୁର୍ଭାବ କମିବାର ନାଁ ନେବନି ।

You might also like