ବନ୍ଧୁକ ମୁନରେ ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ହାତରେ ବନ୍ଧୁକ, ମୁହଁରେ ମାସ୍କ । ଏକ ଦମ୍ ଫିଲ୍ମ ଷ୍ଟାଇଲରେ ଘରେ ଏଣ୍ଟ୍ରି କଲେ । ତା’ପରେ ସିଧା ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଧମକାଉଛନ୍ତି । ଏ ଦୃଶ୍ୟ ଦେଖି ଆପଣଙ୍କ ମନରେ ବି ନିଶ୍ଚିତ ପ୍ରଶ୍ନ ଆସୁଥିବ ଏ ଦୁବୃର୍ତ୍ତମାନେ ଘରେ ପଶି ଏମିତି କାଣ୍ଡ କାହିଁକି କରୁଛନ୍ତି । ଦର୍ଶକବନ୍ଧୁ ଏ ଦୁବୃର୍ତ୍ତଙ୍କ ଇରାଦା ଲୁଟ ଛଡ଼ା ଆଉ କିଛି ନୁହେଁ । ଲୁଟ କରିବା ପାଇଁ ବନ୍ଧୁକ ଧରି ଏ ବ୍ୟକ୍ତିଙ୍କ ଘରେ ପଶିଥିଲେ । ଯାହାପରେ ମହିଳାଙ୍କୁ ଧମକାଇବା ସହ ଫାଙ୍କା ଗୁଳି ଚାଳନା ବି କରିଥିଲେ ।
ଏ ମହିଳାମାନେ ବି କ’ଣ କରିବେ ଜୀବନ ଭୟରେ ଘରେ ଥିବା ସୁନା ଗହଣା ଓ ଟଙ୍କା କେଉଁଠି ଅଛି ସବୁ ଡକାୟତଙ୍କୁ କହି ଦେଇଥିଲେ । ବାସ ତା ପରେ ଦୁବୃର୍ତ୍ତମାନେ ଘରେ ଯାହା ସବୁ ଗହଣା ଓ ଟଙ୍କା ଥିଲା ତାକୁ ନେଇ ଫେରାର ମାରିଛନ୍ତି । ଗତକାଲି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବୋତଲଡ଼ାଙ୍ଗ ଗାଁରେ ଘଟିଛି ଏଭଳି ଏକ ଭୟଙ୍କର ଡକାୟତି । ଗାଁର ପ୍ରଭାତ ଦାସଙ୍କ ଘରେ ଦୁବୃର୍ତ୍ତ ମାନେ ପଶି ବନ୍ଧୁକ ଦେଖାଇ ଘରେ ଥିବା ସୁନା ଗହଣା ଏବଂ ମୋବାଇଲ ଫୋନ ନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ଗତକାଲି ରାତି ପ୍ରାୟ ୯ଟା ସମୟରେ ୫ରୁ ୬ଜଣ ଦୁର୍ବୃତ୍ତ ପ୍ରଭାତଙ୍କ ଘରକୁ ପଶିଆସିଥିଲେ । ଯାହାପରେ ମହିଳାଙ୍କୁ ଧମକେଇବା ସହ ତାଙ୍କ ଝିଅକୁ ଚାପୁଡ଼ା ମଧ୍ୟ ମାରିଥିଲେ । ଆଉ ଲୁଟିନେଇଥିଲେ ସୁନା ଅଳଙ୍କାର ସମେତ ସମସ୍ତଙ୍କ ମୋବାଇଲ ଫୋନ୍ । ସେହି ସମୟରେ ଘରେ କେବଳ ମହିଳାମାନେ ଥିଲେ ଏବଂ କେହି ପୁରୁଷ ନଥିଲେ । ଯାହାର ସୁଯୋଗ ନେଇ ଏଭଳି ଡକାୟତି ହୋଇଛି ବୋଲି ଅନୁମାନ କରାଯାଉଛି । ଟଙ୍କା ଗହଣା ବ୍ୟତୀତ ଘରର ସମସ୍ତ ସଦସ୍ୟଙ୍କ ମୋବାଇଲ ଫୋନ୍ ମଧ୍ୟ ଲୁଟିନେଇଥିଲେ ଦୁର୍ବୃତ୍ତ ।
ତେବେ ପୋଲିସ ଅଭିଯୋଗ ପାଇବା ପରେ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଓ ଡ଼ଗ୍ sqard ର ସହାୟତା ଲୋଡିଛି ପୋଲିସ । ତେବେ ଏଭଳି ଡକାୟତଙ୍କୁ ଧରିବାରେ ପୋଲିସ କେବେ ସଫଳ ହେଉଛି ତାହା ଦେଖିବାକୁ ବାକିରହିଲା । ଅନ୍ୟପଟେ ଏଭଳି ଭୟଙ୍କର ଡକାୟତି ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।