ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ: ବିଦ୍ୟୁତ୍ କାଟର ସୁଯୋଗ ନେଇ ଥାନା ସମ୍ମୁଖରୁ ବ୍ୟବସାୟଙ୍କଠାରୁ ଲୁଟ୍

ବାରିପଦା(କେନ୍ୟୁଜ୍): ଗୋଟାଇ ଦିନରେ ବାରିପଦା ଟାଉନ ଥାନା ଅଞ୍ଚଳରେ ଦୁଇ ଦୁଇଟି ଚିନତାଇ। ବିଦ୍ୟୁତ୍ କାଟର ସୁଯୋଗ ନେଇ ବଡ଼ବଜାର ଅଞ୍ଚଳରେ ଟାଉନ ଥାନା ସମ୍ମୁଖରୁ ବ୍ୟବସାୟଙ୍କ ଠାରୁ ଚିନତାଇ ହୋଇଥିବା ବେଳେ ପାଲବଣି ଅଞ୍ଚଳରୁ ମହିଳାଙ୍କ ଠାରୁ ଚିନତାଇ କରିଛନ୍ତି ଦୁର୍ବୁତ୍ତ ।

ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳରେ ମରାମତି କାର୍ଯ୍ୟ ପାଇଁ ସନ୍ଧ୍ୟା ସମୟରେ ବିଦ୍ୟୁତ୍ କାଟ ହୋଇଥିଲା। ତେବେ ଏହାର ସୁଯୋଗ ନେଇ ବାରିପଦା ଟାଉନ ଥାନା ସମ୍ମୁଖରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଦୁର୍ବୁତ୍ତ ମାନେ ଚିନତାଇ କରିଥିବା ଅଭିଯୋଗ ହୋଇଛି। କଚେରୀ ମାର୍କେଟ ଠାରେ ଥିବା ମଧୁବନ ଅଞ୍ଚଳର ଅଳଙ୍କାର ଦୋକାନୀ ବିଜୟ ସିଂହ ଦୋକାନ ବନ୍ଦ କରି ତାଙ୍କ ଘର ମଧୁବନକୁ ଆସୁଥିବା ସମୟରେ ଏହି ଘଟଣା ଘଟିଛି।

ବ୍ୟବସାୟୀ ଜଣକ ବାଇକ ଯୋଗେ ଯାଉଥିବା ସମୟରେ ଥାନା ସମ୍ମୁଖରେ ବାଇକରେ ଦୁର୍ବୁତ୍ତ ମାନେ ଆସି ଟଙ୍କା ଓ ରୁପା ଥିବା ବ୍ୟାଗକୁ ଛଡାଇ ନେଇଥିଲେ। ତେବେ ବ୍ୟବସାୟୀ ଜଣକ ବାଇକରୁ ପଡିଯିବା ସହ ଆହତ ହୋଇଥିଲେ।  ଏନେଇ ସେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି। ଉକ୍ତ ଘଟଣାଟି ବାରିପଦା ଟାଉନ ଥାନା ସମ୍ମୁଖରେ ହୋଇଥିବା ବେଳେ ଟାଉନ ଥାନା ପୋଲିସକୁ ଖୁଲମଖୁଲା ଭାବେ ଚ୍ୟାଲେଞ୍ଜ କରିଛନ୍ତି ଦୁର୍ବୁତ୍ତ ମାନେ।

ଅନ୍ୟପଟେ ଆଜି ସକାଳ ସମୟରେ ବାରିପଦା ଟାଉନ ଥାନ ଅନ୍ତର୍ଗତ ପାଲବଣି ନିକଟ ବ୍ଲକ ଅଫିସ ସମ୍ମୁଖରୁ ମହିଳାଙ୍କ ବେକରୁ ସକାଳେ ସକାଳେ ସୁନା ଚେନ ଲୁଟି ନେଇଛନ୍ତି ଲୁଟେରା। ଯାହାର ଭିଡ଼ିଓ ସିସିଟିଭିରେ କଏଦ ହେବା ସହ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସୂଚନା ମୁତାବକ ଆଜି ସକାଳ ୫.୩୦ ମିନିଟ ସମୟରେ ଦୁଇ ଜଣ ମହିଳା ପ୍ରାତଃ ଭ୍ରମଣରେ ବାରିପଦା ବ୍ଲକ ଦେଇ ଯାଉଥିବା ସମୟରେ ବିପରୀତ ଦିଗରୁ ଜଣେ ଅଜଣା ଯୁବକ ଆସି ସେମାନଙ୍କ ଠାରୁ ସୁନା ଚେନ ଲୁଟି ନେଇ ଦଉଡି ପଳାଇ ଯାଇଥିବାର ଦେଖାଯାଉଛି । ତେବେ ଲୁଟର ଶୀକାର ହୋଇଥିବା ମହିଳା ରତ୍ନ ମଂଜରୀ ନାଥଙ୍କ ସ୍ୱାମୀ ମନହର ନାଥଙ୍କ ଏତେଲା କ୍ରମେ ବାରିପଦା ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବାର ଜଣା ଯାଇଛି ।

ତେବେ ଦିନକୁ ଦିନ ବାରିପଦା ଟାଉନ ଥାନା ଅଞ୍ଚଳରେ ଚୋରି, ଡକାୟତି, ଛିନତାଇ ଭଳି ଅପରାଧ ବୃଦ୍ଧି ଘଟୁଥିବା ବେଳେ, ପୋଲିସ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିଶେଷ କରି ମୟୂରଭଞ୍ଜ ଏକ ସୀମାନ୍ତ ଜିଲ୍ଲା ହୋଇଥିବାରୁ ଅପରାଧୀ ମାନେ ଖୁବ କମ ସମୟ ଭିତରେ ରାଜ୍ୟ ବାହାରକୁ ଫେରାର ହୋଇ ଯାଉଥିବାରୁ ଲୁଟେରାଙ୍କୁ ଧରିବାରେ ପୋଲିସକୁ ହେଲେ ନାକେଦମ ହେବାକୁ ପଡୁଛି। ତେବେ ଆଗକୁ ଟାଉନ ଥାନା ପୋଲିସ୍ ପକ୍ଷରୁ ଚିନତାଇ କରୁଥିବା ଉକ୍ତ ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.