କିଓସ୍କ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି, ବନ୍ଧୁକ ଦେଖାଇ ନେଇଗଲେ ଦେଢ଼ ଲକ୍ଷ ଟଙ୍କା

ସୁବର୍ଣ୍ଣପୁର : କିଓସ୍କ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ବନ୍ଧୁକ ଦେଖାଇ ଦେଢ଼ ଲକ୍ଷ ଟଙ୍କା ନେଇଗଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ କିଓସ୍କ ବ୍ୟାଙ୍କ ମାଲିକ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ଡ଼କାୟତି ହୋଇଥବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଲେହେଡି ଗାଁର ନୀଳାମ୍ବର ମହାପାତ୍ରଙ୍କ କିଓସ୍କ ବ୍ୟାଙ୍କରେ କିଛି ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ କିଓସ୍କ ବ୍ୟାଙ୍କ ମାଲିକଙ୍କୁ ଆକ୍ରମଣ କରିବା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଧରି ଫେରାର ହୋଇ ଯାଇଥିଲେ । ଏକ ରାଉଣ୍ଡ ଗୁଳି ଚାଳନା ମଧ୍ୟ କରିଥିଲେ । କିଓସ୍କ ମାଲିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ମୁଣ୍ଡ ଫାଟି ଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ ହୋଇଛି ।
ସୂଚନା ଯୋଗ୍ୟ ନିକଟରେ ସମ୍ବଲପୁରରେ ମଣପୁରମ୍ ଫାଇନାନ୍ସ ଅଫିସରେ ଏଭଳି ସଶସ୍ତ୍ର ଡକାୟତି ସହ ଲୁଟପାଟକୁ ନେଇ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଥିଲା । ୬ରୁ ୭ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଅଫିସ ଭିତରେ ପଶିଥିଲେ । ଏହାପରେ ସମସ୍ତ କର୍ମଚାରୀଙ୍କୁ ଏକ ରୁମ ଭିତରେ ପୂରାଇ ତାଲା ପକାଇ ଦେଇଥିଲେ । ଏହାପରେ ଲକର ପାସଓ୍ବାର୍ଡ ମାଗି ୩୦ କେଜି ସୁନା ଅଳଙ୍କାର, ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ସମସ୍ତେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ବେଳେ ସମସ୍ତ ଘଟଣା CCTVରେ କଏଦ ହୋଇଛି । ଘଟଣାସ୍ଥଳରେ ଅଇଁଠାପାଲି ପୋଲିସ ପହଞ୍ଚି CCTV ଫୁଟେଜ ଆଧାରରେ ତଦନ୍ତ କରଥିଲେ ।