ବାଲିଗୁଡା ସହରରେ ମାତିଛନ୍ତି ଲୁଟେରା, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ବାଲିଗୁଡା : ବାଲିଗୁଡା ସହରରେ ମାତିଛନ୍ତି ଲୁଟେରା । ଏକ ମାସ ହେବ ସହରର ବିଭିନ୍ନ ଦୋକାନକୁ ଲୁଟେରା କରୁଛନ୍ତି ଟାର୍ଗେଟ । ପ୍ରତିଟି ଦୋକାନର ତାଲାକୁ ଲୁହା ରଡ଼ରେ ତାଡି ଭାଙ୍ଗି ଚୋରି କରି ଚମ୍ପଟ ମାରୁଛନ୍ତି । ତେବେ ବାଲିଗୁଡା ମୁଖ୍ୟ ରାସ୍ତାର ତହସିଲଦାରଙ୍କ ରେସିଡେଣ୍ଟ ସାମ୍ନାରେ ଏକ ମେଡ଼ିସିନ ଷ୍ଟୋରରେ ପଶି କଳାକନା ବୁଲାଇଛନ୍ତି ଚୋର । ବିଳମ୍ବିତ ରାତ୍ରିରେ ଚୋରି କରୁଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କିପରି ଗୋଟିଏ ପରେ ଗୋଟିଏ ଦୋକାନକୁ ଟାର୍ଗେଟ କରି ଚୋରି କରୁଛନ୍ତି ଲୁଟେରା । ତେବେ ମୁଖ୍ୟ ରାସ୍ତାରେ ଥିବା ଗିରିଜା ମେଡ଼ିସିନ ଷ୍ଟୋରରୁ ଦୁଇ ଦୁର୍ବୁତ୍ତ ଲୁହା ରଡ଼ ସାହାଯ୍ୟରେ ତାଲା ଭାଙ୍ଗି ଚୋରି କରିଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁଇ ଦୁର୍ବୁତ୍ତ ମେଡ଼ିସିନ ଷ୍ଟୋରରୁ ନଗଦ ତେର ହଜାର ଟଙ୍କା, ସ୍ମାର୍ଟ ୱାଚ ଚୋରି କରିଥିବା ଦୋକାନୀ ମାଲିକ କହିଛନ୍ତି ।
ତେବେ ଏଯାବତ ୫ରୁ ଅଧିକ ଦୋକାନରୁ ସମାନ ତରିକାରେ ଲୁହା ରଡ଼ ସାହାଯ୍ୟରେ ତାଲା ଭାଙ୍ଗି ଚୋରି କରିଛନ୍ତି ଲୁଟେରା । ଏନେଇ ଅଭିଯୋଗ ହେବାପରେ ବାଲିଗୁଡା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ବାଲିଗୁଡା ସହରରେ ପୋଲିସର ପେଟ୍ରୋଲିଙ୍ଗ କଡାକଡି କରାଯାଉନଥିବା କାରଣରୁ ଚୋରି, ଡକାୟତି ମାମଲା ବୃଦ୍ଧି ପାଉଥିବା ଦୋକାନୀ ଓ ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ତେବେ ପୋଲିସକୁ ଏହି ଲୁଟେରାମାନେ ଚ୍ୟାଲେଞ୍ଜ ଦେଇ ବାଲିଗୁଡା ସହରରେ ଆତଙ୍କରାଜ ଖେଳାଇଛନ୍ତି । ବାରମ୍ବାର ସଫଳତାର ସହ ଲୁଟ୍ କରି ପୋଲିସ୍ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଛନ୍ତି । ତେବେ ଏହି ଲୁଟେରାଙ୍କୁ ଧରିବାରେ ବର୍ତମାନ ଯାଇଁ ସଫଳ ହୋଇନାହିଁ ବାଲିଗୁଡା ପୋଲିସ୍ ।