ମଣପୁରମ ଫାଇନାନ୍ସରୁ ଡକାୟତି ଘଟଣା, ଦୀର୍ଘ ୧ ମାସ ପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର: ସମ୍ବଲପୁର ମଣପୁରମ ଫାଇନାନ୍ସରୁ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଉତ୍ତମ ପାଶୱାନକୁ ଗୁଆହାଟୀରୁ ଗିରଫ କଲା ପୋଲିସ । ଆଜି ଉତ୍ତମକୁ କୋର୍ଟଚାଲାଣ କରାଯିବ । ଅଧିକ ପଚରାଉଚରା ପାଇଁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଡକାୟତି ଦିନ ଉତ୍ତମ ନିଜେ ସୁନା ବ୍ୟାଗ ଧରି ବାଇକରେ ବସି ଫେରାର ହୋଇଯାଇଥିଲା । ଦୀର୍ଘ ୧ ମାସ ପରେ ଉତ୍ତମକୁ ପୋଲିସର ସ୍ବତନ୍ତ୍ର ଟିମ୍ ଗିରଫ କରିଛି ।
ସୂଚନା ଅନୁସାରେ ଗତ ୩ ତାରିଖ ଦିନ ୧୦ଟାରେ ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ ଡକାୟତି ହୋଇଥିଲା । ୬ ରୁ ୭ ଜଣ ହେଲମେଟ ପିନ୍ଧା ଡକାୟତ ଆସି ବନ୍ଧୁକ ମୁନରେ କମ୍ପାନୀର କର୍ମଚାରୀଙ୍କୁ ଧମକ ଦେଇ ୩୦ କେଜି ସୁନା ଓ ନଗଦ ୪ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ବୁଢାରଜା ମଣପୁରମ ଫାଇନାନ୍ସ ଲିମିଟେଡ଼ର ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ ସୁଧୀର ନାଥ କହିବାନୁଯାୟୀ, ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଡକାୟତମାନେ ବନ୍ଧୁକ ବାହାର କରି ସମସ୍ତଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ ଓ ଚୁପ ଚାପ ରହିବାକୁ କହିଥିଲେ । ଏହାପରେ ଆଉ ୪ ଜଣ ଡକାୟତ ମୁଖା ଓ ହେଲମେଟ ପିନ୍ଧି ବନ୍ଧୁକ ଧରି ଅଫିସକୁ ପଶିଥିଲେ । ବନ୍ଧୁକ ଦେଖାଇ ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ଙ୍କୁ ଲକର ଖୋଲିବାକୁ କହିଥିଲେ l ଡକାୟତମାନେ ଲକରରୁ ପ୍ରାୟ ୨୯ କେଜି ସୁନା ଓ ୪ ଲକ୍ଷ ୮୧ ହଜାର ଟଙ୍କା ନେଇ ୩ ଟି ବାଇକ ଯୋଗେ ସେଠାରୁ ଅଇଁଠାପାଲି ଜାତୀୟ ରାଜପଥ ଆଡ଼କୁ ଫେରାର ହୋଇଯାଇଥିଲେ ।
ଆହୁରି ପଢନ୍ତୁ : ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁଇ ଦୁର୍ବୃତ୍ତ, ଜଣଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଲୋକେ