ଝିଅ ବାହାଘର ପାଇଁ ରଖିଥିଲେ ସୁନା ଟଙ୍କା, ଲୁଟିନେଲେ ଲୁଟେରା

ସାଲେପୁର:ଆଉ କିଛି ନାହିଁ ମୋର ସବୁ କିଛି ଲୁଟିନେଲେ । ଜମିବାଡ଼ି ବିକ୍ରି କରି ଝିଅ ବାହାଘର ପାଇଁ ସୁନା, ଟଙ୍କା ରଖିଥିଲି । ହେଲେ ସବୁ ସଫା କରି ଦେଲେ ଲୁଟେରା । କଟକ ଜିଲ୍ଲା ସାଲେପୁର ଥାନା ଜାହାଙ୍ଗୀରବାଦ ଗାଁରେ ବିଜୟ ମହାନ୍ତିଙ୍କ ଘରୁ ଡକାୟତମାନେ କଳାକନା ବୁଲାଇ ଦେଇଛନ୍ତି । ଘରର ଆସବାବ ପତ୍ର ଏତେତେଣେ ପଡ଼ିଛି । ଆଲମାରୀ ଲକର ଭଙ୍ଗା ଯାଇଛି । ସୁନା ଗହଣା ଟଙ୍କା କିଛି ଆଉ ନାହିଁ ସବୁ ହରିଲୁଟ୍ ହୋଇଯାଇଛି । ଝିଅ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ।
ବିଜୟ ମହାନ୍ତିଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ଏଭଳି ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି । ସମସ୍ତେ ଶୋଇଥିବା ଅବସ୍ଥାରେ ୪ ଜଣ ଲୁଟେରା ଛାତ କବାଟ ଭାଙ୍ଗି ସିଡ଼ି ଘର ବାଟେ ପଶି ଥିଲେ । ଆଉ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୫୦ଲକ୍ଷ ଟଙ୍କାର ସୁନା ଗହଣା ଓ ୩୦ ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଜମି ବିକ୍ରି କରି ଝିଅ ବାହାଘର କରିବା ପାଇଁ ସୁନା ଏବଂ ଟଙ୍କା ରଖିଥିଲେ ବୋଲି ବିଜୟ କହିଛନ୍ତି । ହେଲେ ଝିଅ ବାହାଘର ପୂର୍ବରୁ ସେ ସବୁ କିଛି ଲୁଟି ନେଲେ ଚୋର ।
ତେବେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ବିଜୟ ମହାନ୍ତିଙ୍କ ଘରୁ ଡକାୟତି ଘଟଣା ନେଇଛି ନୂଆ ମୋଡ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଘରର ବେଡ ରୁମ ସହିତ ବିଭିନ୍ନ ସ୍ଥାନରେ ଶତାଧିକ ସୌଖୀନ ବାଇକ୍ ଏବଂ ନାମୀ ଦାମୀ କାର ରହିଥିବା ଦେଖିବାକୁ ମିଳିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ପୋଲିସ ଗାଡି ଗୁଡ଼ିକୁ ଯାଞ୍ଚ କରୁଛି । ଅନ୍ୟପଟେ ସ୍ଥାନୀୟ ଲୋକେ ବିଭିନନ ପ୍ରକାର ସନ୍ଦେହ ପ୍ରକାଶ କରିଛନ୍ତି । କହୁଛନ୍ତି ବିଜୟଙ୍କ ଘରେ ଏତେ ସଂଖ୍ୟକ ଗାଡ଼ି ଆସିଲା କେଉଁଠୁ? ପୋଲିସ ତଦନ୍ତ ପରେ ଏସବୁ ପ୍ରଶ୍ନର ଉତ୍ତର ସାମନାକୁ ଆସିବ । ହେଲେ ଘଟଣାକୁ ନେଇ ପୋଲିସ୍ କିଛି କହୁ ନାହିଁ । ସେପଟେ ଏହି ସମସ୍ତ ପ୍ରଶ୍ନ ଉଠିବା ପରେ ବିଜୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଲୁଟ୍ ଘଟଣା ବଢ଼ିବାରେ ଲାଗିଛି । ଲୁଟ୍ ଓ ଆକ୍ରମଣ ଘଟଣାରେ ଅତିଷ୍ଠ ହେଲେଣି ଲୋକେ । ଏଭଳି ଅପରାଧକୁ ରୋକିବା ପାଇଁ ପୋଲିସ ତତ୍ପର ହୋଇଛି ସତ । କିନ୍ତୁ ଦୁବୃର୍ତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ତେବେ ଏହି ଲୁଟ ଘଟଣାରେ ଆଉ କଣ ସବୁ ରହସ୍ୟ ଲୁଚି ରହିଛି କେବଳ ପୋଲିସର ସଠିକ ତଦନ୍ତ ପରେ ସ୍ପଷ୍ଟ ହେବ ।
Also read:ଏକା ସଙ୍ଗେ ଚାଲିଗଲେ ବାପା ପୁଅ, ବାପାଙ୍କ ମୃତ୍ୟୁ ଖବର ଶୁଣି ପୁଅକୁ ଆସିଲା ହାର୍ଟଆଟାକ୍