କଂକ୍ରିଟ ଛାତରେ ଦେଖିବାକୁ ମିଳିଛି ପ୍ରକୃତିର ସବୁଜିମା, ପୁଲକିତ ହେଉଛି ଚାଷୀର ମନ

ଘରର ଛାତ ପାଲଟିଛି କୃଷି ଉଦ୍ୟାନ । କଂକ୍ରିଟ ଛାତରେ ଦେଖିବାକୁ ମିଳିଛି ପ୍ରକୃତିର ସବୁଜିମା । ସବୁଜ ପନିପରିବାରେ ହସୁଛି ଛାତ । ପୁଲକିତ ହେଉଛି ଚାଷୀର ମନ । ପୂର୍ବରୁ ଅନେକ ସ୍ଥାନରେ ଛାତ ଉପରେ ସ୍ୱଳ୍ପ ଅବଧିର ଚାଷ ଦେଖିବାକୁ ମିଳିଥିଲା । ହେଲେ ଏବେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିମାଳ ଗାଁରେ ଦେଖିବାକୁ ମିଳିଛି ଛାତ ଉପରେ ନିଆରା ଚାଷ । ଜୈବିକ ପଦ୍ଧତିରେ ବିନା କୌଣସି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ବେଶ ଚର୍ଚ୍ଚାରେ ରେଢାଖୋଲ ଅଞ୍ଚଳର ଜଣେ ଅବସର ପ୍ରାପ୍ତ କର୍ମଚାରୀ । ଅବସର ପ୍ରାପ୍ତ ସମବାୟ ସମିତି ସମ୍ପାଦକ ନବଘନ ସ୍ୱାଇଁଙ୍କ ଛାତ ଉପରେ ଦେଖିବାକୁ ମିଳିଛି ଏଭଳି ଦୀର୍ଘ କାଳୀନ କୃଷି ଉଦ୍ୟାନ । ୠତୁ କାଳୀନ ପନିପରିବା ଫସଲ, ଟମାଟୋ, ଲଙ୍କା, ବାଇଗଣ, ଧନିଆ, ଝୁଡଙ୍ଗ, ବିନ୍ସ, କଲରା ଏମିତି ଅନେକ ପନିପରିବା ତାଙ୍କ ଛାତ ଉପରେ ସମ୍ପୂର୍ଣ୍ଣ ଦେଶୀ ପ୍ରଣାଳୀରେ ଚାଷ କରି ସଫଳ ହେଇଛନ୍ତି ନବ । ଜମିରେ ହେଉଥିବା ସବୁ ଚାଷ ଛାତ ଉପରେ ବି ଭଲ ଭାବରେ ହୋଇ ପାରିବ ସେ କହିଛନ୍ତି । ଚାକିରୀ କରିଥିଲେ ବି ଚାଷୀ ଘର ପିଲା ହୋଇଥିବାରୁ ଏଠାରେ ସବୁ ପ୍ରୟୋଗ କରି ସଫଳତା ପାଇ ପାରିଲି ବୋଲି କହିଛନ୍ତି ନବ ।

ଦୀର୍ଘ ଦୁଇ ବର୍ଷ ହେବ ଛାତ ଉପରେ ଚାଷ କରି ଆସୁଛନ୍ତି । ଜୈବିକ ପଦ୍ଧତିରେ ବିନା କୌଣସି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସଫଳତା ପାଇଛନ୍ତି । ତାଙ୍କ ସହ ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

ସପ୍ତାହକୁ ଥରେ ଆଉ ହାଟକୁ ଯିବାକୁ ପଡୁନାହିଁ କି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁ ନାହିଁ । ଏଥିରୁ ଉତ୍ପାଦିତ ପନିପରିବାକୁ ନେଇ ଘରେ ରୋଷେଇ ହେଉଥିବା ସହ ଆଖପାଖ ଲୋକ ବି ଏଠାରୁ ପରିବା ନେଉଛନ୍ତି । ଗାଁର କିଛି ଲୋକ ଏହି ଚାଷ ପ୍ରତି ଆକୃଷ୍ଟ ହୋଇ ସେମାନେ ମଧ୍ୟ ତାଙ୍କ ଛାତ ଉପରେ ଏଭଳି ଚାଷ କରିବାକୁ ମନ ବଳାଉଛନ୍ତି ।

 

You might also like