ରାଉରକେଲାରେ ମର୍ଡର ଘଟଣା : ହତ୍ୟା ପାଇଁ ଅଭିଯୁକ୍ତ ଦେଖିଥିଲା କ୍ରାଇମ ସୋ
ହତ୍ୟା ପାଇଁ ଅଭିଯୁକ୍ତ ଦେଖିଥିଲା କ୍ରାଇମ ସୋ । ଝାରସୁଗୁଡ଼ାରେ କିଡନାପ୍, ରାଉରକେଲାରେ ମର୍ଡର ଘଟଣାରେ ନୂଆ ଟ୍ବିଷ୍ଟ । ଅଭିଯୁକ୍ତ କୁନୁ ଏଭଳି ଜଘନ୍ୟ ଅପରାଧ ଘଟେଇବା ପାଇଁ ଟେଲିଭିଜନର ଏକ ଲୋକପ୍ରିୟ କ୍ରାଇମ ସୋ ଦେଖିଥିଲା। ଏହା ପରେ ହତ୍ୟା ପାଇଁ ଯୋଜନା କରିଥିଲା ବୋଲି କହିଛନ୍ତି ଝାରସୁଗୁଡା ପୋଲିସ୍ । ପ୍ରଥମେ ପୀଡ଼ିତାକୁ ଭଲ ପାଇଥିଲା ପରେ ଦୁଷ୍କର୍ମ କରି ଜେଲ ଯାଇଥିଲା ଅଭିଯୁକ୍ତ । ୨୦୨୩ ଡିସେମ୍ବର ମାସରେ ଜେଲରୁ ଜାମିନ ପାଇ ମୁକୁଳିଥିଲା ।
ତେବେ ପୀଡିତା ଜଣକ କୋର୍ଟରେ ନିଜ ବୟାନ ଦେଇ ତାକୁ ପୁଣି ଥରେ ଜେଲ ନପଠେଇ ଦେଉ ସେହି ଡରରେ ହତ୍ୟା ପାଇଁ ଯୋଜନା କରିଥିଲା । ଝାରସୁଗୁଡା ସ୍ଥିତ ନିଜ ମାଉସୀ ଘରେ ରହୁଥିବା ପୀଡିତାଙ୍କୁ ରାଉରକେଲା ଆଣି ହତ୍ୟା କରିଥିଲା । ଯେମିତି ନାବାଳିକା ପ୍ରେମିକାର କେହି ପରିଚୟ ପାଇବେନି ସେଥିପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା ।
ହାତର ପାପୁଲି ଓ ମୁହଁକୁ ନିଆଁରେ ପୋଡ଼ି ଦେଇଥିଲା। ନାବାଳିକାଙ୍କ ପରିବାର ଲୋକେ ଗତ ଡିସେମ୍ବର ୭ ତାରିଖରେ ଝାରସୁଗୁଡ଼ା ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ । ପୋଲିସ୍ ନାବାଳିକାକୁ ଖୋଜିବା ଲାଗି AI କ୍ୟାମେରାର ସହାୟତା ନେଇଥିଲା। ନାବାଳିକାଙ୍କ ଫଟୋ ଓ ଝାରସୁଗୁଡ଼ା ସ୍ମାର୍ଟସିଟି ସିସିଟିଭି ସିଷ୍ଟମରୁ ଅପହରଣର ଖିଅ ମିଳିଥିଲା। ସିସିଟିଭି ଫୁଟେଜକୁ ଝାରସୁଗୁଡା ଏସପି ତଦାରଖ କରୁଥିଲେ । ଯେଉଁଥିରେ ୭ ତାରିଖରେ କୁନୁ କିଷାନ ପୀଡିତାକୁ ବାଇକରେ ବସାଇ ନେଉଥିବାର ଦେଖିବାକୁ ମିଳିଥିଲା । ଏହା ପରେ AI ସହାୟତାରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ ।