ଇଞ୍ଜିନୟରିଂ ଡିଗ୍ରିଧାରୀ ଯୁବତୀ ଟ୍ରେନରେ ବିକୁଥିଲେ ଫଳ,ଆରପିଏଫ କନେଷ୍ଟବଳ ମାଡ଼ ମାରି କଲେ ଲହୁଲୁହାଣ

ରାଉରକେଲା(କେନ୍ୟୁଜ୍): ପେଟ ପୋଷିବା ପାଇଁ କଂପ୍ୟୁଟର ଇଞ୍ଜିନୟରିଂ ଡିଗ୍ରିଧାରୀ ଟ୍ରେନରେ ବିକୁଛନ୍ତି ଫଳ । ବିନା ଟିକେଟରେ ଯାତ୍ରାକୁ ନେଇ ଆରପିଏଫ କନେଷ୍ଟବଳ ସଂପୃକ୍ତ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ରାଉରକେଲା ରେଳବାଇ ପୋଲିସ । ବାଙ୍ଗାଲୋର ଧରଓ୍ଵାଡ ଅଞ୍ଚଳର ଅନୀତା ରାଜଙ୍କ ଘର । କଂପ୍ୟୁଟର ଇଞ୍ଜିନିୟର ଅନୀତା ପେଟ ପୋଷିବା ପାଇଁ ଟ୍ରେନରେ ଫଳ ବିକୁଥିଲେ । ସେ ମହାରାଷ୍ଟ୍ରର ଗୁନ୍ଦିଆ ଷ୍ଟେସନରୁ ଗୀତାଞ୍ଜଳି ଏକ୍ସପ୍ରେସରେ ଉଠି ଫଳ ବିକ୍ରି କରୁଥିବା ବେଳେ ଟିକେଟ କରିନଥିଲେ ।

ରାଉରକେଲାର ପାନପୋଷ ରେଳ ଷ୍ଟେସନ ନିକଟରେ ବିନା ଟିକେଟରେ ଯାତ୍ରାକୁ ନେଇ ଆରପିଏଫ କନେଷ୍ଟବଳ ଅଜିତ ନାଏକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ଅନୀତାଙ୍କୁ ସେ ଲାଠିରେ ପିଟି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଅଜିତ ନାଏକ ଜାମସେଦପୁରରେ ଆରପିଏଫ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ଟ୍ରେନରେ ଟିକେଟ ଚେକିଂ ଦାୟିତ୍ୱ ଟିଟିଇଙ୍କର । ହେଲେ ଆରପିଏଫ କନେଷ୍ଟବଳ କଣ ପାଇଁ ଟିକେଟ ଚେକିଂ ନେଇ ମାଡ଼ ମାରିଲେ ବୋଲି ପ୍ରଶ୍ନ ଉଠିଛି । ତେବେ କମ୍ପ୍ୟୁଟର ଇଞ୍ଜିନିୟରିଂ କରିଥିବା ଜଣେ ଯୁବତୀ ନିଜର ଭରଣପୋଷଣ ପାଇଁ ଟ୍ରେନରେ ଫଳ ବିକୁଥିବା ଘଟଣା ଆଲୋଚନାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.