ଟ୍ରେଡିଂ କମ୍ପାନୀରେ ଲଗାଇଥିବା ଟଙ୍କା ନିବେଶକଙ୍କୁ ଡିସେମ୍ବର ସୁଦ୍ଧା ମିଳିପାରେ !

ସମ୍ବଲପୁର: ସେୟାର ମାର୍କେଟରେ ଭଲ ଲାଭର ଲୋଭ ଦେଖାଇ ଲୋକଙ୍କ ଠାରୁ ଠକିନେଲେ ହଜାରେ କୋଟିରୁ ଅଧିକ ଟଙ୍କା । କିଏ ଜମି ବିକି ଟଙ୍କା ଲଗାଇଥିଲେ ତ ପୁଣି କିଏ ପେନସନ୍ ଟଙ୍କା ଲଗାଇଥିଲେ । କିଛି ସରକାରୀ କର୍ମଚାରୀ ମଧ୍ୟ ଟଙ୍କା ଲଗାଇଥିଲେ । ଏବେ ଟଙ୍କା ମିଳିବ କି ନାହିଁ ସେହି ଆଶା ଆଶଙ୍କାରେ ଥିବାବେଳେ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଲୋକେ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ସମ୍ବଲପୁରରୁ । ଜଣେ ବ୍ୟକ୍ତି ଏବଂ ତାଙ୍କ ସଂସ୍ଥା ସେୟାର ମାର୍କେଟରେ ଲୋଭ ଦେଖାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।
ତେବେ ସମ୍ବଲପୁର ଧନୁପାଲି ଥାନା କୁଲୁଥକାନି ଅଞ୍ଚଳରେ ଥିବା ଏକ ଟ୍ରେଡିଂ କମ୍ପାନୀ ଗତ କିଛି ଦିନ ହେଲା ଲୋକଙ୍କ ବିଶ୍ବାସ ଜିତି ଲୋକଙ୍କଠାରୁ ହଜାରେ କୋଟିରୁ ଅଧିକ ଟଙ୍କା ନେଇ ଫେରାର ଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି l ସମ୍ବଲପୁରର ସନ୍ତୋଷ କୁମାର ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ କମ୍ପାନିରେ ଶତାଧିକ ଲୋକଙ୍କୁ ସେୟାର ମାର୍କେଟରେ ଭଲ ଲାଭର ଲୋଭ ଦେଖାଇ ୧୦୦୦ କୋଟିରୁ ୧୨୦୦ କୋଟି ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଛି । ଏହି କମ୍ପାନି ଲକ୍ଷେ ଟଙ୍କାରେ ୫ ପ୍ରତିଶତ ଲାଭ ଦେବାର ଲୋଭ ଦେଖାଇ ଜିଲ୍ଲାର ୫୦୦ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ଏହି ଠକେଇ କରିଛି। ବଡ଼ କଥା ହେଲା ଟଙ୍କା ନେବା ସମୟରେ ଏକ ବଣ୍ଡ୍ ଦେଇ ଏହି ଠକେଇ କରିଥିବା ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଲୋକେ। ଖାଲି ସେତିକି ନୁହେଁ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ମଧ୍ୟ ଏହି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ସିକିମ, ସ୍ବିଜରଲ୍ୟାଣ୍ଡ୍, ଛତିଶଗଡ଼, ଇନ୍ଦୋର, ପଶ୍ଚିମବଙ୍ଗରୁ ମଧ୍ୟ ଲୋକେ ଟଙ୍କା ନିବେଶ କରିଥିଲେ । ଆଉ ମ୍ୟାଚୁରିଟି ଟଙ୍କା ସମୟ ଆସିଥିଲେ ବି ଟଙ୍କା ନମିଳିବା ପରେ ଘଟଣା ସାମ୍ନାକୁ ଆସିଛି ।
ସେପଟେ କମ୍ପାନୀ ମୁଖ୍ୟ ସନ୍ତୋଷ କୁମାର ଆଚାର୍ଯ୍ୟ ଏକ ଭିଡିଓ ମାଧ୍ୟମରେ ଲୋକଙ୍କୁ ବିବ୍ରତ ନ ହେବାପାଇଁ କହିଛନ୍ତି । କମ୍ପାନୀ ଏବେ ଟିକେ ଲସରେ ଚାଲିଛି ମାର୍କେଟ ଡାଉନ୍ ଥିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ତେବେ ଆସନ୍ତା ଡିସେମ୍ବର ଶେଷସୁଦ୍ଧା ନିବେଶକ ମାନଙ୍କର ସମସ୍ତ ଟଙ୍କା ଫେରାଇ ଦିଆଯିବ ବୋଲି ସନ୍ତୋଷ କୁମାର ଆଚାର୍ଯ୍ୟ ଏକ ଭିଡିଓ ମାଧ୍ୟମରେ କହିଛନ୍ତି l
ତେବେ ସମ୍ବଲପୁରର ଏକ ଟ୍ରେଡିଂ କମ୍ପାନୀ ଦୀର୍ଘ ଦିନ ହେଲା ଏହା ଚାଲିଥିବା ବେଳେ ପ୍ରଥମେ ଠିକ୍ ସମୟରେ ଟଙ୍କା ଫେରସ୍ତ କରୁଥିଲେ । ମାତ୍ର ଏବେ ମ୍ୟାଚୁରିଟି ପରେ ବି ଟଙ୍କା ଫେରସ୍ତ କରୁନଥିବାରୁ ଚିନ୍ତାରେ ପଡିଛନ୍ତି ନିବେଶକ । ଯାହାକୁ ନେଇ ସମ୍ବଲପୁର ପୋଲିସ ତଦନ୍ତ ଆରମ୍ଭ କରିଛି l ସେପଟେ ଲୋକ ମାନେ ଅଳ୍ପ କିଛି ଟଙ୍କା ଯୋଗୁଁ ଏପରି ନହେବା ପାଇଁ ଆଇନଜୀବି ମାନେ କହିଛନ୍ତି l