ଭୁବନେଶ୍ୱର : ବାତ୍ୟା ‘ଦାନା’ ବୁଡ଼ାଇଲା ଚାଷୀଙ୍କ ଦାନା । ଧାନ ବିଲରେ ଫସଲ ବଦଳରେ ଲହଡ଼ି ଭାଙ୍ଗୁଛି ପାଣି। ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏକ ବୈଠକରେ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ପ୍ରାଥମିକ ଆକଳନ ଅନୁଯାୟୀ, ରାଜ୍ୟରେ ପ୍ରାୟ ଏକ ଲକ୍ଷ ୯୯ ହଜାର ଏକର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି । SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବ, ଚାଷୀମାନଙ୍କର ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ, ବାତ୍ୟାରେ ରାଜ୍ୟରେ ପ୍ରାୟ ୧ ଲକ୍ଷ ୯୯ ହଜାର ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି । ବାତ୍ୟାରେ ୧୪ ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୫ଟି ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜର ଚାଷ ଜମି ଜଳମଗ୍ନ ସହ ଫସଲ ହାନୀ ଆଶଙ୍କା କରାଯାଇଛି । ଆଜି କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବାତ୍ୟା ଜନତି ଫସଲ କ୍ଷୟକ୍ଷତି ନେଇ ଏକ ବୈଠକରେ ସମୀକ୍ଷା କରିଛନ୍ତି । ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିବା ପରେ ଅଫିସରମାନେ କ୍ଷେତ୍ରକୁ ଯାଇ କ୍ଷୟକ୍ଷତିର ଜିଓ ଟ୍ୟାଗିଂ ରିପୋର୍ଟ ସରକାର ଓ କୃଷି ବିଭାଗକୁ ପଠାଇବେ । SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତି ପୂରଣ ଦିଆଯିବ । ଚାଷୀମାନଙ୍କର ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ।
ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଫସଲ ହାନୀ ହୋଇଛି । ବିଶେଷକରି ଧାନ ଚାଷ ଅଧିକ ପ୍ରଭାବିତ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଅଧା ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲେ ଚାଷୀଙ୍କୁ ୪୨ଶହ ଟଙ୍କା ସହାୟତା ମିଳିବ। ଅଳ୍ପ କିଛି କ୍ଷତି ହୋଇଥିଲେ ସର୍ବନିମ୍ନ ହଜାରେ ଟଙ୍କା ମିଳିବ। ଆଗ୍ରୋ ଫରେଷ୍ଟ-ପ୍ଲାଣ୍ଟେସନ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨ହଜାର ୫ସହ ଟଙ୍କା ସହାୟତା ମିଳିବ। ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ କ୍ଷୟକ୍ଷତି ଆକଳନ କରାଯିବ ।