ମେଡିକାଲ ଲିଫ୍ଟ ମୃତ୍ୟୁ ଅଘଟଣ, ମୃତକଙ୍କ ପରିବାକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭଦ୍ରକ : ମେଡିକାଲ ଲିଫ୍ଟରେ ଚାପିହୋଇ ରୋଗୀଙ୍କ ମୃତ୍ୟୁ । ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ। ଲିଫ୍ଟ ରେ ରାନ୍ଦୀଆ ପଂଚାୟତ ନରସିଂହପୁର ଗାଁର ମିନତୀ ପରିଡାଙ୍କ ମୃତ୍ୟୁ ହୋଇଛି। ଅସୁସ୍ଥ ଅନୁଭବ କରିବାରୁ ମିନତୀ ହସ୍ପିଟାଲକୁ ଆଣିଥିଲେ। ଆଉଟ ଡୋରରେ ଥିବା ଡାକ୍ତର ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ୱାର୍ଡକୁ ଯିବାକୁ କହିଥିଲେ । ମିନତୀଙ୍କୁ ପରିବାର ଲୋକେ ୱାର୍ଡ କୁ ନେବା ପାଇଁ ଷ୍ଟେଚରରେ ଲିଫ୍ଟ ଭିତରେ ପଶିଥିବା ବେଳେ ହଟାତ ଲିଫ୍ଟ ରେ ଚାପି ହୋଇ ଯାଇଥିଲେ ମିନତୀ । ତେବେ କୌଶଳ କ୍ରମେ ତାଙ୍କ ପୁଅ ଓ ଦିଅର ବାହାରି ଆସିଥିଲେ। ଲିଫ୍ଟରେ ଚାପି ହୋଇ ମିନତୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମେଡିକାଲ ପରିସରରେ ସୃଷ୍ଟି ତୀବ୍ର ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ସହ ସ୍ଥାନୀୟ ଲୋକେ ଲିଫ୍ଟ ରୁ ମୃତ ମହିଳାଙ୍କୁ ବାହାର କରିବାକୁ ଦେଇ ନ ଥିଲେ ।  ଶେଷରେ ମୃତକଙ୍କ ପରିବାକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ସହ ଅନ୍ତେଷ୍ଟିକ୍ରିୟା ପାଇଁ ରେଡକ୍ରସ ପକ୍ଷରୁ ୩୦ ହଜାର ସହାୟତା ଦିଆଯାଇଛି । ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ପରେ ଉତ୍ତେଜନା ହ୍ରାସ ପାଇଛି । ସେହିପରି ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା ହୋଇଛି ।