ଆକାଂକ୍ଷୀ ଜିଲ୍ଲାକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ

ଭୁବନେଶ୍ବର : କେନ୍ଦ୍ର ଖଣି ସଚିବ ଅନୀଲ ମୁକିମଙ୍କ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି । ଏଥିରେ ଉଲ୍ଲେଖ ଅଛି, ନୀତି ଆୟୋଗ ଦ୍ୱାରା ଚିହ୍ନଟ ଦେଶର ୧୧୫ଟି ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ତିଆରି ହେଉଛି । ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୯୩ଟି ଜିଲ୍ଲା ପାଇଁ ରହିଛି ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଫଣ୍ଡ ବା ଡିଏମ୍ଏଫ୍ ପାଣ୍ଠି । ଏହି ଜିଲ୍ଲାଗୁଡ଼ିକରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାରେ ଡିଏମ୍ଏଫ୍ ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ କୁହାଯାଇଛି । କେନ୍ଦ୍ରର ଏଭଳି ଚିଠିକୁ ନେଇ ଆପତ୍ତି ଉଠାଇଛି ବିଜେଡ଼ି । ଯଦି କେନ୍ଦ୍ର ଅର୍ଥ ଦେବ ନାହିଁ, ତେବେ ପ୍ରଭାରୀ ଅଧିକାରୀ ନିଯୁକ୍ତି କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ସେପଟେ ବିଜେପି କହିଛି, ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚ କରିବାରେ ଅସୁବିଧା କେଉଁଠି? କଂଗ୍ରେସ କହିଛି, ବିଜେପି ହେଉଛି କେବଳ ଘୋଷଣାର ସରକାର ।
୧୧୫ଟି ଆକାଂକ୍ଷୀ ଜିଲ୍ଲାରୁ ଓଡ଼ିଶାରେ ରହିଛି ୧୦ଟି । ଏସବୁ ହେଲା ଢେଙ୍କାନାଳ,ବଲାଙ୍ଗିର, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା। ଠିକ ସେହିଭଳି ୧୦ଟି ଜିଲ୍ଲାରେ ରହିଛି ଡିଏମ୍ଏଫ୍ ପାଣ୍ଠି । ୨୦୧୮ ମେ’ ୩୧ ତାରିଖ ସୁଦ୍ଧା କୋଲ ମାଇନ୍ସରୁ ୧୫୫୩. ୮୬ କୋଟି ଟଙ୍କା, ନନ୍ କୋଲ୍ସ କ୍ଷେତ୍ରରୁ ୩୦୭୦.୩୨ କୋଟି, ମାଇନର୍ ମାଇନ୍ସ କ୍ଷେତ୍ରରୁ ୨୪.୭୦ କୋଟି ଟଙ୍କା ଆଦାୟ ହୋଇଛି। ପ୍ରାଥମିକ ଗୁରୁତ୍ୱ ହିସାବରେ ବ୍ୟୟ ବରାଦ ହୋଇଛି ୧୬୯୦.୪୨ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନୁସାରେ ପାନୀୟ ଜଳ, ପରିବେଶ ସଂରକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ ପାଇଁ ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବ । ସେହିଭଳି ରାସ୍ତା ଘାଟ, ସେତୁ ନିର୍ମାଣ ଭଳି ଆବଶ୍ୟକ ଭିତ୍ତିଭୂମି, ଜଳସେଚନ, ଶକ୍ତି କ୍ଷେତ୍ରରେ ଖର୍ଚ୍ଚ ହେବ ୪୦ ପ୍ରତିଶତ ଅର୍ଥ।